ସାର୍ଟ ଖୋଲି ଫଟୋ ଉଠାଇବା ପରେ ଅଡୁଆରେ ବଲିଉଡ ଅଭିନେତା ରଣବୀର ସିଂ, ଥାନାରେ ପହଂଚିଲା ମାମଲା

261

କନକ ବ୍ୟୁରୋ : ଖାଲିଦେହର ଫଟୋ ଉଠାଇ ତାହାକୁ ପୋଷ୍ଟ କରିବା ପରେ ବଲିଉଡ ଅଭିନେତା ରଣବୀର ସିଂଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏନେଇ ଏବେ ମୁମ୍ବାଇର ଚେମ୍ବୁର ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗରେ କୁହାଯାଇଛି କି, ଏଭଳି ଫଟୋ ମହିଳାମାନଙ୍କ ଭାବନା ପ୍ରତି ଆଘାତ ପହଂଚାଇଛି ।

ରଣବୀର ସିଂ ଖାଲି ଦେହରେ ପ୍ରଥମେ ଫଟୋ ସୁଟ କରି ଏହାକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏହାପରେ ଏହାକୁ ନେଇ କିଛି ଲୋମ ମିମ୍ କରିବା ସହ କିଛି କଳାକାର ବି ଏହାକୁ ସପୋର୍ଟ କରିଥିଲେ । ପ୍ରଥମେ ଏହି ଫଟୋକୁ ନେଇ ବିବାଦ ଦେଖାଦେବା ପରେ ଅର୍ଜୁନ କପୁର ଓ ଆଲିଆ ଭଟ୍ଟ ରଣବୀରଙ୍କ ସମର୍ଥନରେ ବାହାରିଥିଲେ । ଏନେଇ ଆଲିଆ କହିଥିଲେ କି ‘ମୋ ପସନ୍ଦର ଅଭିନେତାଙ୍କ ବିରୋଧରେ ନା ମୁଁ କିଛି ଶୁଣିପାରିବି ନା ତାଙ୍କୁ ନେଇ ପ୍ରଶ୍ନ ଉଠିଲେ ମୁଁ ସହ୍ୟ କରିପାରିବି’ । ସେପଟେ ଅର୍ଜୁନ କପୁର କହିଛନ୍ତି କି ରଣବୀର ଯାହା କରିଛନ୍ତି ତାହା ତାଙ୍କ ଇଚ୍ଛାରେ କରିଛନ୍ତି । ତାଙ୍କୁ ଜାହା ଠିକ୍ ଲାଗିଲା ତାହା ସେ କରିଛନ୍ତି । ତେଣୁ ତାଙ୍କୁ ନେଇ ପ୍ରଶ୍ନ ଉଠାଇବାର ଆବଶ୍ୟକତା ନାହିଁ ।

କେବଳ ସେତିକି ନୁହେଁ ଏଭଳି ଫଟୋକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମହାରାଷ୍ଟ୍ର ମୁଖ୍ୟ ଅବୁ ଆଜମୀ ଟ୍ୱିଟ କରି ଏଭଳି ଫଟୋକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ଲେଖିଛନ୍ତି ସର୍ବସାଧାରଣରେ ଖୋଲା ଦେହରେ ଫଟୋ ଉଠାଇବା କଳା ନା ସ୍ୱାଧୀନତା ? ଯଦି ଏଭଳି କରାଯାଇ ପାରିବ ତେବେ ହିଜାବ ଉପରେ ସରକାର କାହିଁକି ଚାପ ପକାଉଛନ୍ତି ।