ହସ୍ପିଟାଲର ୫ଶହ ମିଟର ଦୂରରେ ପଡି ରହିଛି କରୋନା ଆକ୍ରାନ୍ତଙ୍କ ମୃତଦେହ : କେନ୍ଦୁଝର ରାଙ୍କି କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଆକ୍ରାନ୍ତ

କେମିତି ଛାଡ଼ିଲେ ହସ୍ପିଟାଲ ଓ କେମିତି ହେଲା ମୃତ୍ୟୁ ଜିଲ୍ଲାପାଳ, ପୁଲିସ କରୁଛନ୍ତି ଅନୁଧ୍ୟାନ

240

କନକ ବ୍ୟୁରୋ : ହସ୍ପିଟାଲ ଠାରୁ ମାତ୍ର ୫ଶହ ମିଟର ଦୂରରେ ରାସ୍ତାକଡ଼ରେ ପଡ଼ି କୋଭିଡ଼ ଆକ୍ରାନ୍ତଙ୍କ ମୃତ୍ୟୁ । କେନ୍ଦୁଝର ରାଙ୍କି ସ୍ଥିତ କୋଭିଡ଼ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣେ ଆକ୍ରାନ୍ତ କୋଭିଡ଼ ହସ୍ପିଟାଲରୁ ଖସି ଆସି ରାସ୍ତା କଡ଼ରେ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ଜିଲ୍ଲାପାଳ ଏବଂ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ଗତକାଲି ଅପରାହ୍ନରେ କୋଭିଡ଼ ହସ୍ପିଟାଲରୁ ଜଣେ ରୋଗୀ ଚମ୍ପଟ ମାରିଥିଲେ ।

ଏହି ଘଟଣା ଜଣାପଡ଼ିବା ପରେ ସୁରକ୍ଷା କର୍ମୀମାନେ ଆଖପାଖ ଅଂଚଳରେ ଖୋଜାଖୋଜି କରିଥିଲେ । ହସ୍ପିଟାଲ ପଛପଟ ଦେଇ ରୋଗୀ ଜଣଙ୍କ ଚମ୍ପଟ ମାରିଥିବା ବେଳେ ୫ଶହ ମିଟର ଦୁରରେ ଥିବା ଅଚିନ୍ତା ମଠ ନିକଟରେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ । ରାସ୍ତାକଡ଼ରେ ପଡ଼ି ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ମୃତକ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଖମାର ଅଂଚଳର ଜାମୁଆ ଗାଁର ରୁଷି ସାହୁ ବୋଲି ଜଣାପଡ଼ିଛି । ମୃତକଙ୍କ ପତ୍ନୀ ତେଲକୋଇ ଅଂଚଳରେ ରହୁଥିବା ବେଳେ ସେ ମଧ୍ୟ ଅସୁସ୍ଥ ଥିବା ଜଣାପଡ଼ିଛି ।