ସଙ୍କଟ ଭିତରେ ମିଳିଲା ଆଶାର ଆଲୋକ । ଶ୍ରୀଲଙ୍କାକୁ ମିଳିଲା ନୂଆ ରାଷ୍ଟ୍ରପତି । ରାନିଲ ବିକ୍ରମସିଂଘେଙ୍କୁ ଗୁରୁଦାୟିତ୍ୱ ।

113

କନକ ବ୍ୟୁରୋ: ହତାଶ, ଅନ୍ଧାର ଭିତରେ ବୁଡି ରହିଥିବା ଶ୍ରୀଲଙ୍କାକୁ ମିଳିଛି ଆଶାର ଆଲୋକ । ରାଜନୈତିକ ସଙ୍କଟ ଓ ଆର୍ଥିକ ସମସ୍ୟା ଭିତରେ ଦେଶ ପାଇଛି ନୂଆ ରାଷ୍ଟ୍ରପତି । ମଙ୍ଗଳବାର ଦେଶର ନବମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ରାନିଲ ବିକ୍ରମସିଂଘେ । ପୋଷ୍ଟାଲ ବାଲାଟରେ ହୋଇଥିବା ଭୋଟିଂରେ ରାନିଲଙ୍କ ସପକ୍ଷରେ ୧୩୪ ଜଣ ସାଂସଦ ମତଦାନ କରିଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦୀ ଦୁଲ୍ଲାସ ଅଲ୍ଲାପେରୁମା ୮୨ ଭୋଟ୍ ପାଇଥିବା ବେଳେ ଅନୁରା କୁମାରା ଦିସାନାୟକେ ମାତ୍ର ୩ ଖଣ୍ଡ ଭୋଟ୍ ପାଇଛନ୍ତି ।

ଏଥର ରାଷ୍ଟ୍ରପତି ଦୌଡ଼ରେ କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ବ୍ୟତୀତ ଦୁଲ୍ଲାସ ଅଲ୍ଲାପେରୁମା ଓ ଅନୁରା କୁମାରା ଦିସାନାୟକେ ମଇଦାନରେ ଥିଲେ । ବହୁମତ ପାଇଁ ୨୨୫ ସାଂସଦଙ୍କ ମଧ୍ୟରୁ ୧୧୩ ଜଣଙ୍କର ସମର୍ଥନ ଆବଶ୍ୟକ ଥିଲା । ରାନିଲ ୧୩୪ ଭୋଟ୍ ପାଇ ବିଜୟୀ ହୋଇଛନ୍ତି ।

ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀଲଙ୍କା ସଂସଦରେ ସମସ୍ତ ସାଂସଦ ଉପସ୍ଥିତ ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ମଧ୍ୟ ଉପସ୍ଥିତ ରହିଥିଲେ । ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ଏବଂ ବିଦେଶକୁ ପଳାୟନ କରିଥିବା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ଇସ୍ତଫା ପରେ ବିକ୍ରମସିଂଘେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଉଥିଲେ । ଦୂରଦୃଷ୍ଟି ସମ୍ପନ୍ନ ଓ ଆର୍ଥିକ ବ୍ୟବସ୍ଥା ସମ୍ଭାଳିବା ପାଇଁ ଦକ୍ଷତା ରଖୁଥିବା ଜଣେ ଧୁରନ୍ଧର ନେତା ଭାବେ ଜଣାଯାଆନ୍ତି ରାନିଲ ବିକ୍ରମସିଂଘେ । କେବଳ ସେତିକି ନୁହେଁ ଅର୍ନ୍ତରାଷ୍ଟ୍ରୀୟ ସହଯୋଗ ଭିତରେ ଶାସନ, ମଜବୁତ କୁଟନୀତିକୁ ନେଇ ଶାସନ କରିବା ଦିଗରେ ମଧ୍ୟ ସେ ଜଣେ ଟାଣୁଆ ନେତା । ପୂର୍ବରୁ ଶ୍ରୀଲଙ୍କାର ୬ ଥର ପ୍ରଧାନମନ୍ତ୍ରୀ ଓ ଥରେ କାମଚଳା ରାଷ୍ଟପ୍ରତି ଦାୟିତ୍ୱ ସେ ସମ୍ଭାଳି ସାରିଛନ୍ତି । ବର୍ତ୍ତମାନ ଦେଶର ରାଷ୍ଟ୍ରପତି ହେବା ପରେ ନିଶ୍ଚିତଭାବେ ତାଙ୍କ ଉପରେ ଚାପ ଅଧିକ ରହିବ ।

ରାନିଲ ଜଣେ ଷ୍ଟାଟେଜି ମେକର ଭାବେ ମଧ୍ୟ ଜଣାଯାଆନ୍ତି । ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆସିବା ନେଇ ଏବେ ଶ୍ରୀଲଙ୍କାବାସୀଙ୍କ ନିକଟରେ ନୂଆ ଆଶା ସୃଷ୍ଟି କରିବେ ନୂଆ ରାଷ୍ଟ୍ରପତି ରାନିଲ । କଣ ରହିବ ରାନିଲଙ୍କ ନୂଆ ରଣନୀତି ? କିଭଳି ସୁଧରିବ ଦେଶର ଆର୍ଥିକ ସଙ୍କଟ? କଣ ରହିବ ରାଷ୍ଟ୍ରପତିଙ୍କ ନୂଆ ଫମୂର୍ଲା ? ଏବେ ତା ଉପରେ ସଭିଙ୍କ ରହିଛି ନଜର..

ମଙ୍ଗଳବାର ରାଷ୍ଟ୍ରପତି ନିର୍ବାଚନ ଚାଲିଥିବାବେଳେ ରାନିଲ ବିକ୍ରମସିଂଘେଙ୍କ ବିରୋଧରେ ଜନତାଙ୍କ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି । ଏପରିକି ରାନିଲଙ୍କ ବିରୋଧରେ କିଛି ଲୋକେ ନୀରବରେ ପ୍ରତିବାଦ ମଧ୍ୟ କରିଥିଲେ । ତେବେ ଶ୍ରୀଲଙ୍କାର ସଂସଦରେ ୪୪ ବର୍ଷ ପରେ ପ୍ରଥମଥର ସିଧାସଳଖ ରାଷ୍ଟ୍ରପତି ନିର୍ବାଚନ ହୋଇଛି । ଏହାପୂର୍ବରୁ ୧୯୯୩ରେ ତକ୍ରାଳୀନ ରାଷ୍ଟ୍ରପତି ରଣସିଂଘେ ପ୍ରେମଦାସାଙ୍କୁ ହତ୍ୟା କରାଯାଇଥିଲା । ଯାହା ପରେ ରାଷ୍ଟ୍ରପତି ପଦ ଖାଲି ପଡ଼ିଥିଲା । ସେହି ସମୟରେ ଡିବି ବିଜେତୁଙ୍ଗାଙ୍କୁ ସଂସଦ ସର୍ବସମ୍ମତି କ୍ରମେ ରାଷ୍ଟ୍ରପତି ଦାୟିତ୍ୱ ହସ୍ତାନ୍ତର କରିଥିଲା ।