ମ୍ୟାନେଜମେଣ୍ଟ ଡିଗ୍ରୀ ପରେ କଦଳୀ ଚାଷ କରୁଛନ୍ତି ରଣଦୀପ । ବର୍ଷକୁ ରୋଜଗାର କରୁଛନ୍ତି ୬ରୁ ୭ ଲକ୍ଷ ଟଙ୍କା

136

କନକ ବ୍ୟୁରୋ: ଜଣେ ମ୍ୟାନେଜମେଣ୍ଟ ଡିଗ୍ରୀ ଧାରୀ ଯୁବକ ଉଚ୍ଚ ଶିକ୍ଷା ହାସଲ ପରେ ଚାକିରି ପଛରେ ନଧାଇଁ ନିଜ ଉଦ୍ୟମରେ ସଫଳ ଚାଷୀ ହେବା ସହ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଖାଲି ସେତିକି ନୁହେଁ ଏଥିସହ ଅନ୍ୟମାନଙ୍କ ପାଇଁ କର୍ମ ନିଯୁକ୍ତି ଦେଇ ଅଞ୍ଚଳର ଯୁବ ସମାଜ ପାଇଁ ପ୍ରେରଣା ଯୋଗାଇଛନ୍ତି । ମାତ୍ର କେଇ ହଜାର ଟଙ୍କାର କମ୍ପାନୀ ଚାକିରି ଛାଡି ନିଜ ଗାଁ ମାଟିରେ କଦଳୀ ଚାଷକରି ନିଜେ ରୋଜଗାରକ୍ଷମ ହେବା ସହ ଅଞ୍ଚଳର ଚାହିଦାକୁ ପୂରଣ କରିବାରେ ସଫଳ ହୋଇଛନ୍ତି ଜଣେ ଉଚ୍ଚ ଶିକ୍ଷିତ ଯୁବକ ।

ପ୍ରାୟ ୫ ଏକର ଜମିରେ କଦଳୀ ଚାଷ କରିଛନ୍ତି ଉଚ୍ଚଶିକ୍ଷିତ ବାରକୋଟ ବ୍ଲକ ବଲଣ୍ଡା ପଞ୍ଚାୟତ ଅକ୍ଷରଶୀଳା ଗ୍ରାମର ରଣଦୀପ ପ୍ରଧାନ । ପ୍ରଥମେ ସେ ମାର୍କେଟିଂ ଓ ମାନବ ସମ୍ବଳ ବିଷୟରେ ମାଷ୍ଟର ଡିଗ୍ରୀ ପରେ ଚାକିରି କରୁଥିଲେ । ହେଲେ ଏଥିରେ ମନ ଲାଗୁନଥିଲା । ନିଜେ କିଛି କରିବେ ସେଇ ଆଶାରେ ଗାଁକୁ ଫେରିଆସି କଦଳୀ ବଗିଚା ଆରମ୍ଭ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଚାଷରେ ସଫଳତା ପରେ ଏହାକୁ ବଢ଼ାଇବାକୁ ସେ ସ୍ଥିର କଲେ । ଆଉ ଏଥିପାଇଁ ଉଦ୍ୟାନ ବିଭାଗ ତାଙ୍କୁ ସହାୟତା ଯୋଗାଇଲା । କଦଳୀ ପୁଆ ଯୋଗାଇବା ସହ ଆବଶ୍ୟକ ଜ୍ଞାନ ମଧ୍ୟ ପ୍ରଦାନ କଲେ ବିଭାଗର ଅଧିକାରୀ । ଏହାସହ ଜଳସେଚନ ପାଇଁ ଉଠା ଜଳ ସେଚନ ବିଭାଗ ସହାୟତାରେ ଏକ ଭୂତଳ ଉଠାଜଳ ପଏଂଟ ମଧ୍ୟ ସ୍ଥାପନ କରିଛନ୍ତି ରଣଦୀପ ।

ରଣଦୀପ ଏହି ଚାଷରୁ ନିଜେ ରୋଜଗାର କରିବା ସହ ଅନ୍ୟଙ୍କୁ ମଧ୍ୟ ରୋଜଗାର ଯୋଗାଇଛନ୍ତି । ତାଙ୍କ କଦଳୀ ବଗିଚାରେ କିଛି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିଛି । ଏହି କଦଳୀ ବଗିଚାରୁ ରଣଦୀପ ବାର୍ଷିକ ୬-୭ ଲକ୍ଷ ଟଙ୍କାର ବ୍ୟବସାୟ କରିବା ସହ ୩ରୁ୪ ଲକ୍ଷ ଟଙ୍କା ଯାଏଁ ଲାଭ ଲାଭ କରିପାରୁଛନ୍ତି । ଚାଷ ପାଇଁ ଧୀରେ ଧୀରେ ଲୋକଙ୍କ ମନରେ ଆଗ୍ରହ କମୁଥିବା ବେଳେ ରଣଦୀପ ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଚାଷ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।