କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ପାଇଁ ବାଜି ସାରିଛି ବିଗୁଲ । ମହାମୁକାବିଲା ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ମିଶନ ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଉଡିଛି ଟିମ୍ ଇଣ୍ଡିଆର ବିମାନ । କାରଣ ଅକ୍ଟୋବର ୨୩ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ଯାହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରି ରହିଛି । ଏହି ହାଇଭୋଲଟେଜ ମୁକାବିଲା ଉପରେ ପୂରା ବିଶ୍ୱର ନଜର ରହିଛି । କ୍ରିକେଟପ୍ରେମୀ ଏହି ମ୍ୟାଚ ଦେଖିବାକୁ ଚାତକ ଭଳି ଚାହିଁ ରହିଛନ୍ତି । ଏହି ମ୍ୟାଚକୁ ନେଇ ଉଭୟ ଦେଶର କ୍ରିକେଟ ପ୍ରଂଶସକଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ପୂର୍ବତନ କ୍ରିକେଟରଙ୍କ ବୟାନ ମଧ୍ୟ ଏହି ମ୍ୟାଚର ରୋମାଞ୍ଚକୁ ଆହୁରି ବଢାଇ ଦେଇଛି । ଏସବୁ ଭିତରେ ପିସିବିର ଅଧ୍ୟକ୍ଷ ତଥା ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ରମିଜ ରାଜା କହିଛନ୍ତି, ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ଦେଖିବାକୁ ମୁଁ ମୈଦାନକୁ ଯିବି ନାହିଁ ।

Advertisment

ପିସିବି ଅଧ୍ୟକ୍ଷ ରମିଜ ରାଜା କହିଛନ୍ତି, ଅକ୍ଟୋବର ୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ ମ୍ୟାଚ୍ ମୈଦାନରେ ନୁହେଁ ବରଂ ଟିଭିରେ ବସି ଦେଖିବି । ଆଉ ମୈଦାନରେ ମ୍ୟାଚ୍ ନ ଦେଖିବା ପଛର କାରଣ ମଧ୍ୟ କହିଛନ୍ତି ରମିଜ । ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ମୁଁ ଅଧିକ ଭାବପ୍ରବଣ ହୋଇଯାଏ । ଯେଉଁଥିପାଇଁ ଅନେକ ସମୟରେ ସେଠାରେ ଉପସ୍ଥିତ ଥିବା ଦର୍ଶକଙ୍କ ସହ ଲଢେଇ ହୋଇଯାଇଥାଏ । ଅନେକ ଲୋକ ମୋତେ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଅଷ୍ଟ୍ରେଲିଆ ଆସିବାକୁ ଅନୁରୋଧ କରିଛନ୍ତି କିନ୍ତୁ ମୁଁ ସମସ୍ତଙ୍କୁ ମନା କରିଛି ଏବଂ ଘରେ ବସି ମ୍ୟାଚ୍ ଦେଖିବାକୁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ରମିଜ ରାଜା । ଏହାପୂର୍ବରୁ ଏସିଆ କପ ସମୟରେ ମଧ୍ୟ ରମିଜ ରାଜାଙ୍କ ସହ ସମାନ ଘଟଣା ଦେଖିବାକୁ ମିଳିଥିଲା । ଫାଇନାଲ ମୁକାବିଲାରେ ଶ୍ରୀଲଙ୍କା ଠାରୁ ପାକିସ୍ତାନ ପରାଜିତ ହେବା ପରେ ଭାରତୀୟ ସାମ୍ବାଦିକଙ୍କ ପ୍ରଶ୍ନରେ ରାଗି ଯାଇଥିଲେ ରମିଜ ରାଜା । ଆଉ କହିଥିଲେ, ପାକିସ୍ତାନର ପରାଜୟରେ ତ ଆପଣ ମାନେ ଖୁସି ହେଉଥିବେ । ଆଉ ସେତେବେଳେ ଏଭଳି ବ୍ୟବହାର ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ ରମିଜ ରାଜା ।

ଟି-୨୦ ବିଶ୍ୱକପ ପୂର୍ବରୁ ରମିଜ କହିଛନ୍ତି, ପାକିସ୍ତାନର ମଧ୍ୟକ୍ରମ କିଛି ମାତ୍ରାରେ ଦୁର୍ବଳ ରହିଛି ଯେଉଁଥିପାଇଁ ଦଳ ଅସୁବିଧାର ସମ୍ମୁଖୀନ ହେଉଛି । କିନ୍ତୁ ଏହା ସେତେବେଡ ସମସ୍ୟା ନୁହେଁ ଯାହାର ସମାଧାନ କରାଯାଇପାରିବ ନାହିଁ । ପାକିସ୍ତାନ ପାଖରେ ଚଳିତଥର ବିଶ୍ୱକପ ଜିତିବାର ସୁଯୋଗ ରହିଛି । ପାକିସ୍ତାନ ଟିମ୍ ଚାମ୍ପିୟନ ହେବା ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି । କେବଳ ରମିଜ ରାଜା ନୁହଁନ୍ତି ଏହାପୂର୍ବରୁ ପାକିସ୍ତାନର କ୍ରିକେଟର ହାରିସ ରଉଫ କହିଥିଲେ, ମେଲବୋର୍ଣ୍ଣ ହେଉଛି ମୋର ହୋମଗ୍ରାଉଣ୍ଡ । ତେଣୁ ଟି-୨୦ ବିଶ୍ୱକପରେ ଭାରତ ସତର୍କ ରହୁ । ଯଦି ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରିବି ତେବେ ଭାରତୀୟ ଟିମ୍ ମୋତେ ଖେଳିପାରିବ ନାହିଁ । ଏଭଳି କହି ଟି-୨୦ ବିଶ୍ୱକପ୍ ପୂର୍ବରୁ ବାକଯୁଦ୍ଧ ଆରମ୍ଭ କରିଛି ପାକିସ୍ତାନ ।

ତେବେ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ଦୁଇ ଶକ୍ତିଶାଳୀ ଟିମ୍ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଜିତିଥିବା ବେଳେ ଇଂଲଣ୍ଡ ଠାରୁ ପରାଜିତ ହୋଇଛି ପାକିସ୍ତାନ । ତେଣୁ ଭାରତୀୟ ଟିମ୍ ବିଜୟ ସହ ମନୋବଳ ଦୃଢ କରି ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଥିବା ବେଳେ ପାକିସ୍ତାନ ଟିମ୍ ପରାଜୟର ବୋଝ ମୁଣ୍ଡାଇ ଅଷ୍ଟ୍ରେଲିଆ ଯିବ । ଏଭଳି ସ୍ଥିତିରେ ଆସନ୍ତା ଅକ୍ଟୋବର ୨୩ରେ ହେବାକୁ ଥିବା ହାଇଭୋଲଟେଜ ମୁକାବିଲା ବେଶ ରୋମାଞ୍ଚକର ହେବାକୁ ଯାଉଛି ।