୧୫ ବର୍ଷ ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରମଣ ସିଂ ।

262

କନକ ବ୍ୟୁରୋ : ଛତିଶଗଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରମଣ ସିଂ । ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ରମଣ । ନିଜର ଇସ୍ତଫାପତ୍ର ସେ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଥିବା କହିଛନ୍ତି ରମଣ । ଫଳାଫଳକୁ ନେଇ ସାମ୍ବାଦିକ ସମ୍ମିଳନୀରେ ରମଣ କହିଛନ୍ତି ଯେ, ସେ ଜନାଦେଶକୁ ସମ୍ମାନ କରୁଛନ୍ତି । ରାଜ୍ୟରେ ଦଳ ଯେତେବେଳେ ଜିତୁଥିଲା ସେତେବେଳେ ସେ କ୍ରେଡିଟ ନେଉଥିଲେ, ଏବେ ହାରିବା ପରେ ସେ ନିଜେ ତାହାର ଦାୟିତ୍ୱ ନିଜ ମୁଣ୍ଡକୁ ନେଉଛନ୍ତି । ସେ ଏହି ଅବସରରେ ବିଜୟ ପାଇଁ କଂଗ୍ରେସକୁ ଅଭିନନ୍ଦନ ଜଣାଇଛନ୍ତି । ଛତିଶଗଡ଼ ନିର୍ବାଚନରେ ମୋଟ ୯୦ଟି ଆସନରୁ କଂଗ୍ରେସ ୬୫ଟି ଜିତିଥିବାବେଳେ ବିଜେପି ମାତ୍ର ୧୬ଟି ଆସନରେ ସୀମିତ ରହିଛି । ତେବେ ଆନୁଷ୍ଠାନିକ ଭାବେ ଛତିଶଗଡର ଫଳାଫଳ ଘୋଷଣା କରାଯାଇନାହିଁ ।

ଲଗାତାର ୧୫ ବର୍ଷ ବିଜେପିର ଗଡ ରହି ଆସିଥିବା ଛତିଶଗଡରେ ଏଥର ଦଳକୁ ପରାଜୟର ମୁହଁ ଦେଖିବାକୁ ମିଳିଛି । ଚଳିତ ନିର୍ବାଚନରେ ବିଜେପିକୁ ମାତ୍ ଦେଇ ୧୫ ବର୍ଷ ବନବାସ ପରେ ପୁଣିଥରେ ଶାସନ କ୍ଷମତାକୁ ଫେରିବାକୁ ଯାଉଛି କଂଗ୍ରେସ । ୧୫ ବର୍ଷ ବିଜେପି ସରକାର ଶାସନରେ ଥିବା ବେଳେ ରମଣ ସିଂ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ଆଉ ଦୀର୍ଘ ୧୫ ବର୍ଷ ପରେ ଏହି ଇସ୍ତଫାପତ୍ର ଦେବା ସହ ଏହି ଆସନରୁ ହଟିଛନ୍ତି ରମଣ ସିଂ । ସେ ଲଗାତାର ୩ ଥର ପାଇଁ ଛତିଶଗଡର ମୁଖ୍ୟମନ୍ତ୍ରୀ ଥିଲେ ।

ଅନ୍ୟପକ୍ଷରେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମଧ୍ୟ ବିଜେପିଠାରୁ କ୍ଷମତା ଛଡାଇ ନେଇଛି କଂଗ୍ରେସ । ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶରେ କଂଗ୍ରେସ ୧୧୫ଟି ଓ ବିଜେପି ୧୦୬ଟି ଆସନ ପାଇଛି । ରାଜସ୍ଥାନରେ ମଧ୍ୟ କଂଗ୍ରେସ ୧୦୧ଟି ଓ ବିଜେପି ୭୩ଟି ଆସନ ପାଇଛି ବା ଆଗୁଆ ଅଛି । ତେବେ ନିର୍ବାଚନ ଆୟୋଗ ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ ।