ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ହତ୍ୟା କରିଥିଲା ରାକେଶ । ଏସପି କହିଲେ, ନାକ, ପାଟିକୁ ବନ୍ଦ କରି ହତ୍ୟା କରିଥିଲା ପୁରୁଷ ବନ୍ଧୁ ।

388

କନକ ବ୍ୟୁରୋ: ଝରାଫୁଲ ମୃତ୍ୟୁ ମାମଲାରେ ସିସିଟିଭିର ଚିତ୍ରରୁ ଯାହା ସନ୍ଦେହ କରାଯାଉଥିଲା ତାହା ସତ ହେଲା । ଯାଜପୁର ଏସପିଙ୍କ ସୂଚନା ଅନୁସାରେ ଝରାଫୁଲଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଆଉ ପ୍ରେମିକ ରାକେଶ ହିଁ ହତ୍ୟା ପଛର ମୁଖ୍ୟ ଖଳନାୟକ ଥିଲା ।

  • ଝରାଫୁଲ ମୃତ୍ୟୁ ଉପରୁ ହଟିଲା ପରଦା
  • ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ
  • ପ୍ରେମିକ ରାକେଶ ହିଁ କରିଛି ହତ୍ୟା

କାହାଣୀ ଥିଲା କିଛି ଏହିପରି , ରାକେଶ ଓ ଝରାଫୁଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିବା ପରେ ଏକ ଗାଡି କିଣିବା ପାଇଁ ଝରାଫୁଲଙ୍କ ଠାରୁ ୩୦ହଜାରରୁ ଅଧିକ ଟଙ୍କା ଉଦ୍ଧାର ନେଇଥିଲା ପ୍ରେମିକ ରାକେଶ । ବାରମ୍ବାର ଟଙ୍କା ମାଗିଥିଲେ ଝରାଫୁଲ । ଟଙ୍କା ମାଗିବାରୁ ସବୁଦିନ ପାଇଁ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ରାକେଶ ।

ଯେଉଁଦିନ ରାତିରେ ଝରାଫୁଲଙ୍କ ହତ୍ୟାକାଣ୍ଡ ଘଟିଥିଲା ସେଦିନର ଘଟଣା ଉପରେ ନଜର ପକାନ୍ତୁ ..ଦିନ ପ୍ରାୟ ୧୧ଟା ସମୟରେ ନିଜ ଘର ମୟୂରଭଞ୍ଜକୁ ବାହାରିଥିବା ଝରାଫୁଲ ଭୁବନେଶ୍ୱର ବାଣୀବିହାର ନିକଟରେ ବସରୁ ଓହ୍ଲାଇଥିଲା । ରାକେଶ ସହିତ ଭୁବନେଶ୍ୱରରେ ବୁଲାବୁଲି କରିବା ପରେ ଉଭୟ ଭୁବନେଶ୍ୱରର ଓୟୋ ରୁମକୁ ଆସିଥିଲେ । ପୋଲିସର ସୂଚନା ଅନୁସାରେ ରାକେଶ ଝରାଫୁଲଙ୍କୁ ଜବରଦସ୍ତ ମଦ ପିଆଇଥିଲା । ଆଉ ମଦ ପିଆଇ ସାରିବା ପରେ ଝରାଫୁଲର ନାକ ଓ ପାଟିକୁ ଚିପି ଜୀବନରେ ମାରିଦେଇଥିଲା ରାକେଶ । ପର ଦିନ ସକାଳେ ନିଜ ବନ୍ଧୁ ଶକ୍ତି ସ୍ୱାଇଁଙ୍କ ସହଯୋଗରେ ଝରାଫୁଲଙ୍କ ମୃତଦେହକୁ ଏକ ସ୍କୁଟିରେ ବସାଇ ଯାଜପୁର କୁଆଖିଆ ପର୍ଯ୍ୟନ୍ତ ନେଇ ନିଛାଟିଆ ସ୍ଥାନରେ ଫୋପାଡି ଦେଇଥିଲେ ।

ପରିବାର ଲୋକଙ୍କ ଅଭିଯୋଗ ପରେ ସିସିଟିଭିର ଏହି ଫୁଟେଜକୁ ଆଧାର କରି ରାକେଶକୁ ଜେରା କରିବା ପରେ ଗିରଫ କରିଥିଲା ପୋଲିସ । ସ୍କୁଟିରେ ଝରାଫୁଲଙ୍କ ମୃତଦେହ ନେବାରେ ସହଯୋଗ କରିଥିବା ଅଭିଯୋଗରେ ପୋଲିସ ଏବେ ଶକ୍ତି ସ୍ୱାଇଁଙ୍କୁ ବି ଗିରଫ କରିଛି ।