ଦୀପାବଳିରେ ଯୋଗୀଙ୍କ ବଡ ବୟାନ ! ଅଯୋଧ୍ୟାରେ ପ୍ରତିଷ୍ଠା ହେବ ରାମଙ୍କ ପ୍ରତିମା ।

130

କନକ ବ୍ୟୁରୋ : ଅଯୋଧ୍ୟାର ସରଜୁ ନଦୀ କୁଳରେ ଶୋଭାପାଇବ ବିଶାଳ ଶ୍ରୀରାମଙ୍କ ମୂର୍ତ୍ତି । ଏପରି ଏକ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗୋଟିଏ ପଟେ ରାମମନ୍ଦିର ପ୍ରତିଷ୍ଠା ନେଇ ବହୁ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଏହି ନିଷ୍ପତି ଏକ ନୂଆ ଚର୍ଚ୍ଚାର ଆରମ୍ଭ କରିଛି । ଅଯୋଧ୍ୟାରେ ପାଳନ ହେଉଛି ଦୀପୋତ୍ସବ । ଏପଟେ ସମ୍ବିଧାନ ବିଧି ବ୍ୟବସ୍ଥା ଅନୁସାରେ ରାମ ମନ୍ଦିର ପ୍ରତିଷ୍ଠା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ।

ଦୀପାବଳିରେ ଯୋଗୀଙ୍କ ବଡ଼ ବୟାନ୍ । ଅଯୋଧ୍ୟାରେ ହେବ ରାମଙ୍କ ପ୍ରତିମା । ଉତ୍ତର ପ୍ରଦେଶ ଅଯୋଧ୍ୟାରେ ଦୁଇଦିନ ହେଲା ତ୍ରେତୟା ଯୁଗର ଭ୍ରମ ତିଆରି ହୋଇଛି । ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଛି ଦୀପୋତ୍ସବ । ଆଉ ଦ୍ୱିତୀୟ ଦିନରେ ବୟାନ ଦେଇଛନ୍ତି ଯୋଗୀ । ଅଯୋଧ୍ୟାରେ ପ୍ରଭୁ ରାମଙ୍କ ଏକ ଦର୍ଶନୀୟ ପ୍ରତିମା ପ୍ରତିଷ୍ଠା ପ୍ରତିଷ୍ଠା ପାଇଁ ଚର୍ଚ୍ଚା କରିବା ସହ ଦୁଇଟି ସ୍ଥାନ ବି ଦେଖିଥିବା ସ୍ପଷ୍ଟ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଏଥିସହ ବହୁ ପ୍ରତିକ୍ଷିତ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ କହିଛନ୍ତି ଯେ, ଅଯୋଧ୍ୟାରେ ରାମ ମନ୍ଦିର ଥିଲା, ଅଛି ଓ ରହିବ । ସାମ୍ବିଧାନିକ ବିଧିବ୍ୟବସ୍ଥା ଭିତରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସରକାର ସବୁ ବିକଳ୍ପ ଉପରେ ବିଚାର କରିବେ ।

ହେଉଥିବା ଚର୍ଚ୍ଚା ଅନୁସାରେ 

ଅଯୋଧ୍ୟାରେ ରାମଙ୍କ ପ୍ରତିମା :

– ଅଯୋଧ୍ୟାରେ ପ୍ରଭୁ ରାମଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ ହେବ

– ରାମଙ୍କ ପ୍ରତିମୂର୍ତ୍ତି ଗୁଜରାଟରେ ଷ୍ଟାଚ୍ୟୁ ଅଫ ୟୁନିଟିଠାରୁ ହେବ ଉଚ୍ଚ

– ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଏକ ୨୦୨ ମିଟର ପ୍ରତିମୂର୍ତ୍ତି କରିବାକୁ ଯୋଜନା

– ୫୧ ମିଟର ଚଉପାଢୀ ଉପରେ ହେବ ୧୫୧ ମିଟର ରାମଙ୍କ ପ୍ରତିମୂର୍ତ୍ତି

– ପ୍ରତିମା ନିର୍ମାଣ ପାଇଁ ବିଭିନ୍ନ ଆଡୁ ପ୍ରସ୍ତାବ ପାଇଛନ୍ତି ରାଜ୍ୟ ସରକାର

ବୁଧବାର ଅଯୋଧ୍ୟା ରାମ ଜନ୍ମଭୂମିରେ ରାମ ମନ୍ଦିରରେ ପହଂଚି ପୂଜାର୍ଚ୍ଚନା କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ହନୁମାନ ଗଡି, ଦିଗମ୍ବର ଆଖଡା ଓ ସରାୟୁ ଘାଟ ବି ଯାଇଛନ୍ତି । ହନୁମାନ ଗଡିରେ ପୂଜା କରିବା ପରେ କନକ ଭବନ, ସୁଗ୍ରିବ କିଲ୍ଲା ଓ ରାମଙ୍କ ପ୍ରତିମା ପ୍ରତିଷ୍ଠା ହେବାକୁ ଥିବା ପ୍ରସ୍ତାବିତ ସ୍ଥଳ ବି ବୁଲି ଦେଖିଥିଲେ ଯୋଗୀ । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ପ୍ରଭୁ ଶ୍ରୀରାମଙ୍କ ନାଁରେ ଏକ ବିମାନବନ୍ଦର ହେବ । ଶ୍ରୀରାମଚନ୍ଦ୍ରଙ୍କ ପିତା ଦଶରଥଙ୍କ ନାଁରେ ହସ୍ପିଟାଲ ତିଆରି ହେବ । ଫୈଜାବାଦ ଜିଲ୍ଲାର ନାଁକୁ ପରିବର୍ତନ କରାଯାଇଛି, ଏଣିକି ଅଯୋଧ୍ୟା ନାମରେ ପରିଚିତ ଏହା ହେବ । ଏବେ ପୁଣି ମାତା କୌଶଲ୍ୟାଙ୍କ ନାଁ ଆଗକୁ ଆଣିଛନ୍ତି ଯୋଗୀ । ବୁଧବାର ଘୋଷଣା କରିଛନ୍ତି, ଅଯୋଧ୍ୟାରେ ବିଧବା ଓ ଅନାଥ ପିଲାଙ୍କ ପାଇଁ ଏକ ଆଶ୍ରମ କରାଯିବ । ଯାହା ମାତା କୌଶଲ୍ୟାଙ୍କ ନାମରେ ନାମିତ ହେବ ।