ପାରୋଲରେ ଆସିପାରନ୍ତି ବିବାଦୀୟ ଆତ୍ମଘୋଷିତ ବାବା ରାମ ରହିମ! ମନ୍ତ୍ରୀଙ୍କ ବୟାନ ଦେଲା ସଂକେତ ।

219

ପାରୋଲରେ ଆସିପାରନ୍ତି ବିବାଦୀୟ ଆତ୍ମଘୋଷିତ ଗୁରୁ ତଥା ସିରସା ଆଶ୍ରମ ପ୍ରମୁଖ ରାମ ରହିମ । ଆଶ୍ରମର ସ୍ୱାଧ୍ୱୀଙ୍କ ସହ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାମ ରହିମ ପାରୋଲ ପାଇଁ ଆବେଦନ କରିଛନ୍ତି । ଏପରିକି ତାଙ୍କୁ ଖୁବଶୀଘ୍ର ପାରୋଲ ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ରାମ ରହିମଙ୍କ ପାରୋଲକୁ ନେଇ ହରିୟାଣା ମନ୍ତ୍ରୀ କହିଛନ୍ତି, ଜେଲ ଭିତରେ ବାବାଙ୍କ ଆଚରଣ ବେଶ ଭଲ ରହିଛି । ଏଭଳି ଏକ ରିପୋର୍ଟ ଜେଲ ଅଧିକାରୀ ଦେଇଛନ୍ତି । ତେବେ ରାମ ରହିମଙ୍କୁ ପାରୋଲରେ ଛଡାଯିବ ନା ନାହିଁ ସେ ନେଇ ଶେଷ ନିଷ୍ପତି କମିଶନର ନେବେ ।

ଏପରିକି ହରିୟାଣାର କ୍ୟାବିନେଟ ମନ୍ତ୍ରୀ ଅନୀଲ ବିଜ୍ ରାମ ରହିମଙ୍କ ପାରୋଲକୁ ନେଇ ବଡ ବୟାନ ଦେଇଛନ୍ତି । ଏହା ତାଙ୍କର ଅଧିକାର, ନିୟମ ଅନୁଯାୟୀ ରାମ ରହିମଙ୍କୁ ମଧ୍ୟ ପାରୋଲ ମିଳିପାରିବ । ଫାଶୀ ଦଣ୍ଡାଦେଶ ଅଭିଯୁକ୍ତଙ୍କୁ ମଧ୍ୟ ପାରୋଲ ମିଳିଥାଏ । ସରକାର ଆଇନ କାନୁନ ଅନୁଯାୟୀ ଚାଳୁଛି, ତେଣୁ ଆଇନ ଅନୁଯାୟୀ ଯାହା ବି ହେବ ତାହାକୁ ସରକାର ମାନିବେ । ଆଉ ଅନୀଲଙ୍କ ଏଭଳି ବୟାନ ପରେ ରାମ ରହିମଙ୍କୁ ପାରୋଲ ମିଳିପାରେ ବୋଲି ସଂକେତ ମିଳିଛି ।

ରାମ ରହିମ ପାରୋଲ ପାଇଁ ଆବେଦନ କରିବା ସହ ଲେଖିଛନ୍ତି, ସେ ସିରସା ଆଶ୍ରମରେ ଚାଷ କରିବାକୁ ଚାହୁଁଛନ୍ତି । ରାମ ରହିମଙ୍କ ଅପରାଧିକ ରେକର୍ଡ ଖରାପ ନଥିବାରୁ ତାଙ୍କ ପାରୋଲ ନେଇ ରାୟ ଦେବାକୁ ସିରସା ଉଚ୍ଚାୟୁକ୍ତଙ୍କୁ ଚିଠି ଲେଖି ଜଣାଇଛନ୍ତି ଜେଲ ଅଧିକାରୀ । ତାଙ୍କ କହିବା ଅନୁଯାୟୀ, ରାମ ରହିମ କୌଣସି ହାର୍ଡକୋର ଅପରାଧୀ ନୁହଁନ୍ତି । ହାର୍ଡକୋର ଅପରାଧୀଙ୍କ ପରିଭାଷା କାନୁନରେ ଲେଖା ଅଛି । ଆଉ କାନୁନ ଅନୁଯାୟୀ, ଏହି ଶ୍ରେଣୀରେ ସାମିଲ ନାହାନ୍ତି ରାମ ରହିମ ।