୭୨ ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଚାଷୀଙ୍କୁ ପ୍ରଶଂସା କରି କହିଲେ, ଦେଶକୁ କରିଛନ୍ତି ଆତ୍ମନିର୍ଭରଶୀଳ

74

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ଦେଶବାସୀଙ୍କୁ ସଂବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଦେଶରେ ଦୀର୍ଘ ଦିନରୁ କୃଷି ନୀତିରେ ସୁଧାରକୁ ଅପେକ୍ଷା ଥିଲା, ଏହା ଚାଷୀଙ୍କୁ ଲାଭ ପହଁଚାଇବ ।

ରାଷ୍ଟ୍ରପତି କହିଛନ୍ତି ଆରମ୍ଭରୁ କୃଷୀ ଆଇନକୁ ନେଇ କିଛି ଆଶଙ୍କା ଥିଲା , ଯାହାକୁ ଦୂର କରାଯାଉଛି । ଦେଶର କୃଷକ, ବୈଜ୍ଞାନିକ ଏବଂ ସୈନିକ ପ୍ରଶଂସାର ପାତ୍ର । ଗଣତନ୍ତ୍ର ଦିବସ ଅବସରରେ ଦେଶ ଏ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ୨୦୨୦ ବର୍ଷ ଶିକ୍ଷା ଦେବା ପରି ବର୍ଷ , ଯେଉଁଥିରେ ଆମକୁ ସଫା ସୁତୁରା ପରିବେଶ ଓ ସୁନ୍ଦର ପର୍ଯ୍ୟାବରଣ ଦେଖିବାକୁ ମିଳିଥିଲା । ଆଗାମୀ ସମୟରେ ଏପରି ମହାମାରୀ ପ୍ରକୋପ କମ୍ କରିବାକୁ ହେଲେ ଜଳବାୟୁ ପରିବର୍ତନ ଉପରେ ପୂରା ବିଶ୍ୱକୁ ଧ୍ୟାନ ଦେବାକୁ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି ।
କରୋନା କାଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନକୁ ବି ଭାଷଣରେ ସ୍ଥାନ ଦେଇଛନ୍ତି ରାଷ୍ଟ୍ରପତି । ଅଭିଭାଷଣରେ ରାଷ୍ଟ୍ରପତି ଦିଲ୍ଲୀରେ ଦୁଇ ମାସ ଧରି ଚାଲିଥିବା କୃଷକ ଆନ୍ଦୋଳନର କଥା ବି କହିଛନ୍ତି । ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ଚାଷୀ ସଂଗଠନ । ଆବଶ୍ୟକ ସଂଶୋଧନ ପାଇଁ କେନ୍ଦ୍ର ସରକାର ରାଜି ଅଛନ୍ତି । ଏହି ଅବସରରେ ଜନତାଙ୍କୁ ଗାନ୍ଧି, ଆମ୍ବେଦକରଙ୍କ ଜୀବନର ମୂଲ୍ୟବୋଧ ଏବଂ ଆଦର୍ଶକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ସହିତ କରୋନା ମୁକାବିଲାରେ କରୋନା ଯୋଦ୍ଧାଙ୍କୁ ପ୍ରଣାମ କରିଛନ୍ତି ରାଷ୍ଟ୍ରପତି ।