ଗଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ ଭିତରେ ପ୍ରଥମ ସ୍ଥାନ ଅକ୍ତିଆର କଲା ରାମ ମନ୍ଦିର । ଉତ୍ତରପ୍ରଦେଶ ସରକାରଙ୍କୁ ପୁରସ୍କୃତ କରିବେ ପ୍ରତିରକ୍ଷା ମନ୍ତ୍ରୀ

89

କନକ ବ୍ୟୁରୋ: ଗଣତନ୍ତ୍ର ଦିବସରେ ଏଥର ନୂଆଦିଲ୍ଲୀ ପରେଡରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ରାମ ମନ୍ଦିର ପ୍ରଜ୍ଞାପନ ମେଢ। ଉତ୍ତରପ୍ରଦେଶ ରାଜ୍ୟ ତରଫରୁ ଏହି ମେଢକୁ ପ୍ରଦର୍ଶିତ କରାଯାଇଥିଲା । ଏହାକୁ ଅନ୍ୟ ସମସ୍ତ ପ୍ରଜ୍ଞାପନ ମେଢ ଅପେକ୍ଷା ଅଧିକ ପ୍ରଂଶସା କରାଯାଇଥିଲା । ଯାହାର ଫଳସ୍ୱରୂପ ଏହି ମେଢ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ମେଢ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପୁରସ୍କୃତ କରିବେ ବୋଲି ଜଣାପଡିଛି।

ଚଳିତ ବର୍ଷ ରାମ ମନ୍ଦିର ମେଢ ତିଆରି କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଥିଲେ। ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ମାତ୍ର ୨୦ ଦିନ ଭିତରେ ଏହି ମେଢ ପ୍ରସ୍ତୁତ ହୋଇଥିଲା। ଦିଲ୍ଲୀରେ ରିହର୍ସଲରେ ଭାଗ ନେବା ଦିନରୁ ହିଁ ମେଢକୁ ନେଇ ଚର୍ଚ୍ଚା ବଢ଼ିଥିଲା। ବର୍ତ୍ତମାନ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ଥିବାରୁ ପ୍ରଜ୍ଞାପନ ମେଢରେ ଏହି ଥିମକୁ ନେଇ ମଡେଲ ପ୍ରସ୍ତୁତ ହୋଇଥିଲା ।

ଚଳିତ ବର୍ଷ ୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ ବିଭିନ୍ନ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରାଯାଇଥିଲା। ଏହାମଧ୍ୟରୁ ଉତ୍ତରପ୍ରଦେଶର ଏହି ମେଢ ପ୍ରଥମ ସ୍ଥାନ ଅକ୍ତିଆର କରିଛି ।