କନକ ବ୍ୟୁରୋ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ ମେଣ୍ଟର ପ୍ରଥମ ରାଲି ରଦ୍ଦ କରାଯାଇଛି । ଶନିବାର ଦିନ ପିସିସି ମୁଖ୍ୟ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି କି ଭୋପାଳରେ ହେବାକୁ ଥିବା ରାଲି ରଦ୍ଦ କରାଯାଇଛି ।

Advertisment

କମଲନାଥ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ଗଣମାଧ୍ୟମ ପ୍ରତିନିଧୀ ତାଙ୍କୁ ଭୋପାଳ ରାଲି ବାବଦରେ ପଚାରିଥିଲେ । ଏହାର ଉତରରେ ଏହି ରାଲି ରଦ୍ଦ ହୋଇଥିବା କଥା ସେ କହିଛନ୍ତି । କହିରଖୁ କି ଏହାପୂର୍ବରୁ ମଧ୍ୟପ୍ରଦେଶ କଂଗ୍ରେସ ପ୍ରଭାରୀ ରଣଦୀପ ସୁରଜୱାଲ କହିଥିଲେ କି ଭୋପାଳ ରାଲି ରଦ୍ଦ କରାଯାଇଛି ହେଲେ ଆଗାମୀ ରାଲି ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଆଲୋଚନା ଚାଲିଛି । ହେଲେ ଏପର୍ଯ୍ୟନ୍ତ ରାଲିକୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।

ଇଣ୍ଡିଆ ମେଣ୍ଟର କୋର୍ଡିନେସନ କମିଟି ତରଫରୁ ଦିଲ୍ଲୀରେ ହୋଇଥିବା ବୈଠକରେ ଭୋପାଳ ରାଲିକୁ ନେଇ ନିଷ୍ପତ୍ତି ନିଆଯାଇଥିଲା । ଏନେଇ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ସୂଚନା ଦେଇଥିଲେ । ଏହି ରାଲି ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ହେବାକୁ ଥିଲା । ଏହା ଇଣ୍ଡିଆ ମେଣ୍ଟର ପ୍ରଥମ ରାଲି ହୋଇଥାନ୍ତା ।