ରାଜନୀତିରେ ଜୀବନ ମୂଲ୍ୟ ! ସମ୍ ମୃତକଙ୍କୁ ୧୨ ଲକ୍ଷ ହେଲେ ମାଲକାନଗିରି ଶିଶୁଙ୍କ ପାଇଁ କିଛି ନୁହଁ

28

ମାଲକାନଗିରି : ଗୋଟିଏ ପଟେ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡରେ ଏଯାଏଁ ପ୍ରାଣ ହରାଇଛନ୍ତି ୨୯ ଜଣ । ସେପଟେ ମାଲକାନଗିରି ଜିଲ୍ଲାରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି ଜାପାନୀ ଜ୍ୱର । ଏଥିରେ ଜିଲ୍ଲାରେ ବର୍ତମାନ ସୁଦ୍ଧା ୭୦ରୁ ଅଧିକ ଶିଶୁଙ୍କ ଜୀବନ ଗଲାଣି । କିନ୍ତୁ ଏହି ଦୁଇ ଘଟଣାକୁ ସରକାର ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା, କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ସହ ସମ୍ ହସ୍ପିଟାଲ କର୍ତୃପକ୍ଷ ୫ ଲକ୍ଷଟଙ୍କା ସହାୟତା ଘୋଷଣା କରିଛନ୍ତି । ଏକ ବଡ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କ ପାଇଁ ୧୨ ଲକ୍ଷ ଟଙ୍କାର ସହାୟତା ମିଳିଥିବା ବେଳେ ଉପାନ୍ତ ଅଂଚଳ ପାଇଁ ସରକାର ଚୁପ୍ ।

ଜଣେ ପରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟୁଥିବା ବେଳେ ଅନେକ ମାଆଙ୍କ କୋଳ ଖାଲି ହୋଇଯାଇଛି । କିନ୍ତୁ ସରକାର କେବେ ବି ଏହି ପରିବାରଙ୍କୁ ସହାୟତା ଦେବା ପାଇଁ ଚିନ୍ତା କରୁନାହାନ୍ତି । ସରକାରଙ୍କ ପାଇଁ ଆଦିବାସୀ ଜୀବନ ଶସ୍ତା ହୋଇଯାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ମାନବିକତା ଫୁଟି ଉଠୁଥିବା ବେଳେ ଜାପାନୀ ଜ୍ୱରରେ ପ୍ରାଣ ହରାଉଥିବା ଶିଶୁଙ୍କ ବେଳେ ଏତେ ନିର୍ଲିପ୍ତ କାହିଁକି ?

ସରକାରଙ୍କ ଆଭିମୁଖ୍ୟକୁ ବିରୋଧରେ ମାଲକାନଗିରି ଜିଲ୍ଲାରେ ବିଶାଳ ରାଲି କରି କଂଗ୍ରେସ କରିଛି ଶିଶୁ ବଂଚାଅ ମହାସମାବେଶ । ଏଭଳି ସ୍ଥିତି ଲାଗି ରହିଲେ ଆଗକୁ ଆନ୍ଦୋଳନ ଅଧିକ ଜୋରଦାର ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।