ମନମୋହୁଛି ଧାନ ଓ କାଇଁଚ ରାଖୀ । ଧର୍ମଶାଳାରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି କାଇଁଚ ରାଖୀ, କୋରାପୁଟରେ ଧାନ ରାଖୀ ଷ୍ଟଲରେ ଗ୍ରାହକଙ୍କ ଭିଡ ।

408

କନକ ବ୍ୟୁରୋ : ଧାନ ! ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଖାଦ୍ୟରୁ ଆରମ୍ଭ କରି ପୂଜା ପାର୍ବଣ, ସବୁଠି ଖୋଜା ପଡେ ଧାନ । ଆଉ ଯେତେବେଳେ ଧାନରେ ରାଖୀ ତିଆରି ହୁଏ, ସେତେବେଳେ ତାର ଚାହିଦା ଅନ୍ୟରାଖୀ ଅପେକ୍ଷା ଢେର ଅଧିକ । କୋରାପୁଟ ଜିଲ୍ଲା କୋଟପାଡ଼ର ଆଶା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହୋଇଛି ଧାନ ରାଖୀ । ପୂର୍ବରୁ ଧାନରେ ବିଭିନ୍ନ ପ୍ରକାର ମୂର୍ତି ନିର୍ମାଣ କରୁଥିବା ମହିଳାମାନେ ଏଥର ରାଖୀ ତିଆରି କରିଛନ୍ତି ।

ଚଳିତବର୍ଷ କରୋନା ଯୋଗୁଁ ବ୍ୟବସାୟ ପ୍ରଭାବିତ ହୋଇଥିଲେ ବି ଧାନ ରାଖୀର ବିକ୍ରି ପାଇଁ ଓରମାସ ପକ୍ଷରୁ ବଜାର ବ୍ୟବସ୍ଥା କରାଯାଇଛି । ରାଖୀର ଦାମ ୩୦ ଟଙ୍କାରୁ ୭୫ଟଙ୍କା ପର୍ଯ୍ୟନ୍ତ ରହିଛି । ରାଖୀ ଗୁଡିକ ଦେଖିବାକୁ ଖୁବ୍ ସୁନ୍ଦର । ୧୭ ତାରିଖରୁ ଆରମ୍ଭ ହୋଇଥିବା ଷ୍ଟଲରେ ରାକ୍ଷୀ ପୂର୍ଣ୍ଣିମା ମଧ୍ୟରେ ଭଲ ବ୍ୟବସାୟ ହେବ ବୋଲି ଆଶା ରହିଛି । ଏହି ଷ୍ଟଲରେ ଧାନ ରାଖୀ ସହ କୋଟପାଡ଼ର ପେଡ଼ା, ମିରିଗାନ ମାସ୍କ ମଧ୍ୟ ବିକ୍ରି କରାଯାଉଛି । ଏ ବର୍ଷର ବ୍ୟବସାୟକୁ ଦେଖି ଆସନ୍ତା ବର୍ଷ ଅଧିକ ଷ୍ଟଲ ଖୋଲିବାକୁ ଆସା ରଖିଛି ଓରମାସ ।

ସେହିଭଳି ରାଖୀ ତିଆରିରେ ବ୍ୟସ୍ତ ବଡଚଣା ବ୍ଲକ ଚମ୍ପାପୁର ଗାଁର ମହିଳା । ଆଗରୁ କାଇଁଚରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବେଶ୍ ସୁନାମ ଅର୍ଜନ କରିଥିବା ଏହି ମହିଳାମାନେ ଏବେ ତିଆରି କରୁଛନ୍ତି କାଇଁଚର ରାଖୀ । କିଏ ରାଖୀ ତିଆରୀ କରୁଛନ୍ତି ତ ଆଉ କିଏ ରାଖୀ ଗୁନ୍ଥିବା ସହ ପ୍ୟାକିଂ କରିବାରେ ବ୍ୟସ୍ତ । ପ୍ରାୟ ୪୦ ଜଣ ମହିଳା ରଙ୍ଗବେରଙ୍ଗର କାଇଁଚ ରାଖୀ ତିଆରି କରି ବେଶ୍ ଦୁଇ ପଇସା ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି ।

୨୦୧୩ ମସିହାରୁ ଚମ୍ପାପୁର ଗାଁର ୪୦ଜଣ ମହିଳା କାଇଁଚର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ପ୍ରଥମେ କଳିଙ୍ଗନଗର ଶିଳ୍ପକେନ୍ଦ୍ର ପକ୍ଷରୁ ଏମାନଙ୍କୁ ସହଯୋଗ ମିଳୁଥିଲା । ଏବେ ଓରମାସ୍ ବଢାଇଛି ସହଯୋଗର ହାତ । କାଇଁଚ ରାଖୀ ତିଆରି କରିବା ନେଇ ଓରମାସ ପକ୍ଷରୁ ପ୍ରଶିକ୍ଷଣ ଓ ପ୍ରସ୍ତୁତି ସାମଗ୍ରୀ ଯୋଗାଇ ଦିଆଯାଉଛି । ବିକ୍ରି ପାଇଁ ଷ୍ଟଲ ମଧ୍ୟ କରାଯାଇଛି । ଏବେ ସୁଦ୍ଧା ପ୍ରାୟ ୬୦ହଜାର ଟଙ୍କାର ରାଖୀ ବିକ୍ରି କରିବାରେ ସକ୍ଷମ ହୋଇଛନ୍ତି ଏହି ମହିଳାମାନେ । ରାଖୀର ଦର ୨୫ ଟଙ୍କାରୁ ୫୦ ଟଙ୍କା ରହିଛି । ସରକାରଙ୍କ ପକ୍ଷରୁ କାଇଁଚ ବ୍ୟବସାୟର ଅଭିବୃଦ୍ଧି ନିମନ୍ତେ ଆର୍ôଥକ ସହାୟତା ଯୋଗାଇ ଦିଆଗଲେ ଏହି ଗ୍ରାମୀଣ ମହିଳାମାନେ ଅଧିକ ସ୍ୱାବଲମ୍ବୀ ହୋଇପାରିବେ ।