କନକ ବ୍ୟୁରୋ:  ନିର୍ବାଚନ ଲଢିବାକୁ ତୃତୀୟ ପିଲାକୁ ଲୁଚାଇଥିଲେ  । ଜଣାପଡିବା ପରେ ଗଲା ମେୟର ପଦ।   ଆମେ କହୁଛୁ ବିହାର ଛପରା ଜିଲ୍ଲାର ମେୟର ରାକ୍ଷୀ ଗୁପ୍ତାଙ୍କ କଥା । ପିଲାଙ୍କ ପାଇଁ ଗଲା ମେୟର ପଦ । ନିୟମ ଭାଙ୍ଗି ନାମାଙ୍କନ ସମୟରେ ସତ୍ୟପାଠରେ ୩ ଟି ପିଲା ଥିବା କଥା ଲୁଚାଇଥିବା ଯାଞ୍ଚରୁ ଜଣାପଡିବା ପରେ ତାଙ୍କୁ ମେୟର ପଦ ହରାଇବାକୁ ପଡିଛି ।

Advertisment

ସୂଚନା ମୁତାବକ, ନାମାଙ୍କନ ପତ୍ର ଦାଖଲ ସମୟରେ ରାକ୍ଷୀ ଯାହା ପ୍ରମାଣପତ୍ର ଦାଖଲ କରିଥିଲେ ତାକୁ ଚ୍ୟାଲେଞ୍ଜ କରି ପୂର୍ବ ମେୟର ସୁନୀତା ଦେବୀ ନିର୍ବାଚନ ଆୟୋଗରେ ମାମଲା ଦାଏର କରିଥିଲେ ।ଏହାର ଯାଞ୍ଚ ପରେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିଛି । ରାକ୍ଷୀ ଦାଖଲ କରିଥିବା ସତ୍ୟପାଠ ଭୁଲ ବୋଲି ପ୍ରମାଣିତ ହେବା ପରେ ମେୟର ପଦ ହରାଇଛନ୍ତି ରାକ୍ଷୀ ଗୁପ୍ତା ।

ସତ୍ୟପାଠରେ ତାଙ୍କର ଦୁଇଟି ପିଲା ଅଛନ୍ତି ବୋଲି ଦର୍ଶାଇଥିଲେ ରାକ୍ଷୀ । କାରଣ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ୨୦୦୮ ଏପ୍ରିଲ ୪ ତାରିଖ ପରେ ଯାହାର ୨ରୁ ଅଧିକ ସନ୍ତାନ ହେବେ ତାଙ୍କୁ ନିର୍ବାଚନ ପାଇଁ ଯୋଗ୍ୟ ବୋଲି କୁହାଯାଇପାରିବ ନାହିଁ । ସେମାନେ ନିର୍ବାଚନ ଲଢିପାରିବେ ନାହିଁ । ସେହି କାରଣରୁ ରାକ୍ଷୀ ତାଙ୍କର ତୃତୀୟ ସନ୍ତାନକୁ ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିଥିବା ଜଣାପଡିଛି । କିନ୍ତୁ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ଯାଇ ନିଜର ତୃତୀୟ ସନ୍ତାନକୁ ସମ୍ପର୍କୀୟଙ୍କୁ ପୋଷ୍ୟ ସନ୍ତାନ ଭାବେ ଦାନ କରିଥିବା କହିଛନ୍ତି ରାକ୍ଷୀ । ହେଲେ  ନିଜର ବିଚାର ଶୁଣାଇ ପଦକ୍ଷେପ ମଧ୍ୟ ନେଇସାରିଛନ୍ତି ନିର୍ବାଚନ ଆୟୋଗ ।

ଆସନ୍ତୁ ନଜର ପକାଇବା ଚର୍ଚ୍ଚାରେ ଥିବା ରାକ୍ଷୀଙ୍କ ବ୍ୟକ୍ତିଗତ ଓ ରାଜନୈତିକ ଉପରେ । ପାଟଣାର ବଣିଆ ପରିବାରରୁ ଆସିଛନ୍ତି ରାକ୍ଷୀ । ତାଙ୍କ ପରିବାରର ଅଧିକାଂଶ ସଦସ୍ୟ ବ୍ୟବସାୟ ସହ ଜଡିତ । ଲକ୍ଷେ୍ନø ୟୁନିଭର୍ସିଟିରୁ ଏମବିଏ କରିଛନ୍ତି  । ପଢା ପରେ ବାପ ଘରେ ବ୍ୟବସାୟ ସମ୍ଭାଳୁଥିଲେ  ରାକ୍ଷୀ । ବିବାହ ପରେ  ଛପରାରେ ବି ଶାଶୁଘରେ ବି ସୁନା ବ୍ୟବସାୟ ସମ୍ଭଳିବାକୁ ଲାଗିଲେ । ରାଜନୀତିରେ ପରିବାରରେ କାହାରି କୌଣସି ସମ୍ପର୍କ ନଥିଲା । କରୋନା ସମୟରେ ସ୍ୱାମୀ ସମାଜସେବା ଆରମ୍ଭ କରିଥିଲେ । ଏହାପରେ ରାଜନୀତି ପ୍ରତି ତାଙ୍କର ଆଗ୍ରହ ବଢିଥିଲା । ପରେ ପରେ ପତ୍ନୀ ରାକ୍ଷୀ ଗୁପ୍ତାଙ୍କୁ ମେୟର ପଦରେ ନିର୍ବାଚନ ଲଢିବାକୁ ବିଜେପି ପକ୍ଷରୁ ଅଫର ଆସିଥିଲା, ଯେଉଁଥିରେ ସେ ପ୍ରତିଦ୍ୱନ୍ଦ୍ୱି ଠାରୁ ବିପୁଳ ବ୍ୟବଧାନରେ ଜିତିଥିଲେ ।

କେବଳ ଏତିକିରେ ସରୁନି ରାକ୍ଷୀଙ୍କ ପର୍ସନାଲ ପ୍ରୋଫାଇଲ । ମଡେଲିଂ କ୍ଷେତ୍ରରେ ମଧ୍ୟ ତାଙ୍କ ବେଶ୍ ଅଭିଜ୍ଞତା ରହିଛି । ଆଇ ଗ୍ଲାମ୍ ଦ୍ୱାରା  ଆୟୋଜିତ ମିସ୍ ବିହାର ପ୍ରତିଯୋଗିତାରେ ରାକ୍ଷୀ ପ୍ରଥମ ରନର୍ସଅପ୍ ହୋଇଥିଲେ ।

ତେବେ ରାକ୍ଷୀ ଗୁପ୍ତାଙ୍କ ମେୟର ପଦ ଯିବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିବାବେଳେ ବିରୋଧୀଙ୍କ ମଧ୍ୟ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ବିରୋଧୀ ବାଣ ଫୁଟାଇ ଖୁସି ମନାଉଥିବାର ଦେଖିବାକୁ ମିଳିଛି ।