ରାଜ୍ୟସଭା ରେସରେ କିଏ ଆଗରେ? କାହାକୁ ଦିଲ୍ଲୀ ପଠାଇବେ ନବୀନ, ଜାଣନ୍ତୁ ଚର୍ଚ୍ଚାରେ ରହିଛି କାହାର ନାଁ?

1,856

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ଜୁନ୍ ୧୦ରେ ହେବ ରାଜ୍ୟସଭା ନିର୍ବାଚନ । ଯେଉଁଥିରେ ଓଡ଼ିଶାର ୩ଟି ଆସନ ରହିଛି । ଖାଲି ହେବାକୁ ଥିବା ୩ଟି ଆସନ ପୂର୍ବରୁ ବିଜେଡି ଖାତାରେ ରହିଥିଲା । ତେଣୁ ଏଥର ସେହି ସ୍ଥାନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏପରିକି କିଛି ନାଁକୁ ନେଇ ଏବେଠୁ ବିଜେଡି ଶିବିରରେ ଜୋରଦାର ଚର୍ଚ୍ଚା ହେଲାଣି । ଯେଉଁମାନଙ୍କ ମଧ୍ୟରେ କିଛି ପୁରୁଣା ଚେହେରା ରହିଥିବା ବେଳେ କିଛି ନୂଆ ଚେହେରା ରହିଛନ୍ତି । ଥରେ ନଜର ପକାନ୍ତୁ କେଉଁ ନାଁକୁ ଆରମ୍ଭ ହୋଇଛି ସବୁଠୁ ଅଧିକ ଚର୍ଚ୍ଚା ।

ସସ୍ମିତ ପାତ୍ର : ବିଜେଡିର ରାଜ୍ୟସଭା ସାଂସଦ ଥିବା ସସ୍ମିତ ପାତ୍ରଙ୍କୁ ପୁଣିଥରେ ଭରସିପାରନ୍ତି ଦଳର ମୁଖିଆ । ଜୁଲାଇ ୧ରେ ସସ୍ମିତଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ପୁଣିଥରେ ତାଙ୍କୁ ରିପିଟ୍ କରିପାରନ୍ତି ନବୀନ । ଯେହେତୁ ରାଜ୍ୟସଭାରେ ସସ୍ମିତ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗ ଉଠାଇଛନ୍ତି ଏବଂ ରାଜ୍ୟର ହକ୍ ପାଇଁ ସ୍ୱର ଉଠାଇଛନ୍ତି ତେଣୁ ପୁଣିଥରେ ତାଙ୍କୁ ନବୀନ ସୁଯୋଗ ଦେଇପାରନ୍ତି । ଏହାଛଡା ଯୁବ ଚେହେରା ଭାବେ ସସ୍ମିତ ଅନେକ ସମୟରେ ଦଳର ତୁଣ୍ଡ ସାଜି ବିରୋଧୀଙ୍କୁ କାଉଣ୍ଟର ଆଟାକ କରିଛନ୍ତି ତେଣୁ ସସ୍ମିତ ପ୍ରଥମ ପସନ୍ଦର ପ୍ରାର୍ଥୀ ସାଜିପାରନ୍ତି ।

ପ୍ରସନ୍ନ ପାଟ୍ଟଶାଣୀ : ପୂର୍ବରୁ ଦଳର ସାଂସଦ ରହି ସାରିଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ନାଁ ମଧ୍ୟ ରାଜ୍ୟସଭା ରେସରେ ଆଗରେ ଥିବା କୁହାଯାଉଛି । ୨୦୧୯ରେ ପ୍ରସନ୍ନଙ୍କର ଟିକେଟ କଟିବା ପରେ ତାଙ୍କୁ ଦିଲ୍ଲୀ ଦରବାର ପଠାଇବାକୁ ପ୍ରତିଶ୍ରୁତି ମିଳିଥିଲା ବୋଲି କହିଥିଲେ ପ୍ରସନ୍ନ । କିନ୍ତୁ ୨୦୧୯ ପରେ ୨ ଥର ରାଜ୍ୟସଭା ନିର୍ବାଚନ ସରିଥିଲେ ମଧ୍ୟ ପାଟ୍ଟଶାଣୀଙ୍କୁ ଦିଲ୍ଲୀ ଟିକେଟ ମିଳିନଥିଲା । ତେଣୁ ଏଥର ନବୀନ ପୁରୁଣା ପ୍ରତିଶ୍ରୁତି ମୁତାବକ ପ୍ରସନ୍ନଙ୍କୁ ଦିଲ୍ଲୀ ପଠାଇପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ : ବିଜେଡିର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ମଧ୍ୟ ସମାନ ଅବସ୍ଥା । ୨୦୧୯ରେ ବିଧାୟକ ଟିକେଟ କଟିବା ପରେ ମଧ୍ୟ ଦଳୀୟ ନେତୃତ୍ୱଙ୍କ ଉପରେ ଖପ୍ପା ହୋଇନଥିଲେ ରମେଶ । ବରଂ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟରେ ବଡ ଭୂମିକା ଗ୍ରହଣ କରିଥିଲେ । ସେତେବେଳେ ମଧ୍ୟ ରମେଶଙ୍କୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ୨୦୨୦ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଏହା ସମ୍ଭବପର ହୋଇପାରିନଥିଲା । କିନ୍ତୁ ଏଥର ରମେଶଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଥିବା କହି ବୁଲୁଛନ୍ତି ତାଙ୍କର ସମର୍ଥକ । ଆଉ ଏହା ପଛର କାରଣ ହେଲା ପୌର ନିର୍ବାଚନରେ ଗଞ୍ଜାମରେ ବିଜେଡିକୁ ମିଳିଥିବା ସଫଳତା । ଏହି ସଫଳତାର ସାରଥୀ ସାଜିଥିବା ରମେଶଙ୍କୁ ପୁରସ୍କାରସ୍ୱରୂପ ରାଜ୍ୟସଭା ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ପ୍ରଦୀପ ମାଝୀ : ରାଜ୍ୟସଭା ରେସରେ ଆଉ ଜଣେ ପ୍ରମୁଖ ଦାବିଦାର ହେଉଛନ୍ତି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଟାଣୁଆ ସଙ୍ଗଠକ ଭାବେ ଜଣାଶୁଣା ପ୍ରଦୀପ ୨୦୧୯ ନିର୍ବାଚନରେ ପରାଜିତ ହେବା ପରେ ଗତ ୨୦୨୧ରେ କଂଗ୍ରେସର ହାତ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଆଉ ପ୍ରଦୀପଙ୍କ ଭଳି ଜଣେ ଯୁବ ନେତାଙ୍କୁ ରାଜ୍ୟସଭା ପଠାଇ ଦକ୍ଷିଣ ଓଡ଼ିଶାରେ ବିରୋଧୀଙ୍କୁ ଚେକ୍ ଦେବାକୁ ଉଦ୍ୟମ କରିପାରନ୍ତି ନବୀନ । ଯେହେତୁ ଏନ୍. ଭାସ୍କର ରାଓ ଦକ୍ଷିଣ ଓଡ଼ିଶାରୁ ରାଜ୍ୟସଭା ଯାଇଥିଲେ ତେଣୁ ତାଙ୍କ ସ୍ଥାନରେ ପ୍ରଦୀପଙ୍କ ନାଁରେ ବାଜିପାରେ ମୋହର ।

ସୁସ୍ମିତା ବାଗଚୀ : ରାଜ୍ୟସଭା ରେସରେ ଚର୍ଚ୍ଚାକୁ ଆସିଥିବା ଅନେକ ନାଁ ଭିତରେ ସୁସ୍ମିତାଙ୍କ ନାଁ ମଧ୍ୟ ଆଗରେ ରହିଛି । ଆଉ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ନବୀନଙ୍କ ମହିଳା କାର୍ଡ । ମହିଳାଙ୍କୁ ଗୁରୁତ୍ୱ ଦେଇ ଆସୁଥିବା ନବୀନ ପୂର୍ବରୁ ମମତା ମହନ୍ତଙ୍କୁ ରାଜ୍ୟସଭା ପଠାଇ ଏହାକୁ ପ୍ରମାଣିତ କରି ସାରିଛନ୍ତି । ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପ୍ରସ୍ତାବ ଉପରେ ଗୁରୁତ୍ୱ ଦେଇ ଆସୁଥିବା ନବୀନ ସୁସ୍ମିତାଙ୍କୁ ରାଜ୍ୟସଭା ପଠାଇ ଏହି ଦାବିକୁ ଆହୁରି ଜୋରଦାର କରିପାରନ୍ତି । ସୁସ୍ମିତା ଏବେ ‘ମୋ ସ୍କୁଲ’ର ଅଧ୍ୟକ୍ଷା ଥିବା ବେଳେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଅନେକ ସମୟରେ ସହଯୋଗର ହାତ ବଢାଇଛନ୍ତି । ତେଣୁ ତାଙ୍କୁ ବିଜେଡି ପ୍ରାର୍ଥୀ କରି ରାଜ୍ୟସଭାକୁ ପଠାଇପାରେ ।

ମାନସ ମଙ୍ଗରାଜ : ରାଜ୍ୟସଭା ରେସରେ ନୂଆ ଚେହେରା ଭାବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା କିଛି କମ ନୁହେଁ । ସସ୍ମିତଙ୍କ ଭଳି ମାନସଙ୍କୁ ମଧ୍ୟ ଦଳ ସୁଯୋଗ ଦେଇପାରେ । ର୍ନିବିବାଦୀୟ ଚେହେରା ସାଙ୍ଗକୁ ବିରୋଧୀଙ୍କୁ କାଉଣ୍ଟର କରିବାର ଦକ୍ଷତା ରଖିଥିବା ମାନସଙ୍କୁ ଦିଲ୍ଲୀ ପଠାଇ ନିଜର ଷ୍ଟାଣ୍ଡକୁ ଆହୁରି ଦୃଢ କରିବାକୁ ଦଳ ଚାହୁଁଥିବା ଚର୍ଚ୍ଚା ହେଉଛି ।

ରାଜ୍ୟସଭା ନିର୍ବାଚନକୁ ନେଇ ଏଭଳି ଚର୍ଚ୍ଚା ଭିତରେ ନବୀନ ପୁଣିଥରେ ୨୦୧୯ର ପୁନରାବୃତ୍ତି କରିବେନି ତ ଏଭଳି ଶଙ୍କା ମଧ୍ୟରେ ଦଳୀୟ ନେତାଙ୍କ ମଧ୍ୟରେ ରହିଛି । କାରଣ ଗତ ରାଜ୍ୟସଭା ନିର୍ବାଚନରେ ଆବଶ୍ୟକୀୟ ସଂଖ୍ୟା ଥାଇ ମଧ୍ୟ ବିଜେପି ଖାତାକୁ ଗୋଟିଏ ଆସନ ଦେଇଥିଲେ ନବୀନ । ଆଉ ବିଜେଡି ସମର୍ଥନରେ ରାଜ୍ୟସଭା ସାଂସଦ ହେବା ସହ ମୋଦୀ ସରକାରରେ ମନ୍ତ୍ରୀ ହୋଇଛନ୍ତି ଅଶ୍ୱିନୀ ବୈଷ୍ଣବ । ତେଣୁ ଏ ପାଳିରେ ମଧ୍ୟ ବିଜେପି ସହ ଆସନ ସେୟାର କରିବେନି ତ ନବୀନ? ଏଭଳି ଆଶଙ୍କା ମଧ୍ୟ ଦଳୀୟ ନେତାଙ୍କ ମଧ୍ୟରେ ରହିଛି । ଅନ୍ୟପଟେ ସବୁବେଳେ ନୂଆ ନୂଆ ନିଷ୍ପତ୍ତି ନେଇ ଉଭୟ ବିରୋଧୀ ଓ ନିଜ ଦଳର ନେତାଙ୍କୁ ଚକିତ କରୁଥିବା ନବୀନ ଏଥର ସେଭଳି କିଛି ନିଷ୍ପତ୍ତି ନେବେନି ତ? କାରଣ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଆସୁଥିବା ନବୀନ, ପ୍ରମିଳା ବିଷୋୟୀ, ମମତା ମହନ୍ତଙ୍କ ଭଳି ଚେହେରାଙ୍କୁ ସଂସଦ ପଠାଇଥିବା ବେଳେ ଏଥର ସେଭଳି ଜଣେ ଚେହେରାଙ୍କୁ ଦିଲ୍ଲୀକୁ ପଠାଇ ମାଷ୍ଟ୍ରରଷ୍ଟ୍ରୋକ ମାରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।