କନକ ବ୍ୟୁରୋ: ଆଜି ଶେଷ ହେଉଛି ସଂସଦର ବଜେଟ୍ ଅଧିବେଶନ । ହଙ୍ଗାମା କାରଣରୁ ଏଥର ବି ବଜେଟ୍ ଅଧିବେଶନ ଠିକ୍ ଠାକ୍ ଚାଲିପାରିନି । ଦୁଇ ଗୃହର କାର୍ଯ୍ୟ ସମୟ ଏଥର କମିଥିବାବେଳେ, ଅନେକ ବିଧେୟକ ମଧ୍ୟ ପାସ୍ ହୋଇପାରିନି । ତେବେ ସୂଚନା ମୁତାବକ, ବାରମ୍ବାର ସ୍ଥଗିତ ହେବା କାରଣରୁ ଏଥର ଲୋକସଭା କେବଳ ମାତ୍ର ୪୫ ଘଣ୍ଟା ଏବଂ ରାଜ୍ୟସଭା ମାତ୍ର ୩୧ ଘଣ୍ଟା ଚାଲିପାରିଛି ।

Advertisment

ଏଥର ବଜେଟ୍ ଅଧିବେଶନରେ ଲୋକସଭା ମୋଟ ୧୩୩.୬ ଘଣ୍ଟା କାର୍ଯ୍ୟ କରିବ ବୋଲି ନିର୍ଦ୍ଧାରିତ ହୋଇଥିଲା । ସେହିପରି ରାଜ୍ୟସଭା ମୋଟ ୧୩୦ ଘଣ୍ଟା କାର୍ଯ୍ୟ କରିବ ବୋଲି ନିର୍ଦ୍ଧାରଣ କରାଯାଇଥିଲା । ହେଲେ ଧାର୍ଯ୍ୟ ସମୟଠାରୁ ବହୁତ କମ୍ ସମୟ ଚାଲିପାରିଛି ଉଭୟ ଗୃହ । ନିର୍ଦ୍ଧାରିତ ସମୟର ୩୪.୨୮ ପ୍ରତିଶତ ଲୋକସଭା କାମ କରିଥିବାବେଳେ, ରାଜ୍ୟସଭା ମାତ୍ର ୨୪ ପ୍ରତିଶତ କାମ କରିପାରିଛି । ଅନ୍ୟପଟେ ଲୋକସଭାରେ ପ୍ରଶ୍ନକାଳ କେବଳ ୪.୩୨ ଘଣ୍ଟା ଚାଲିଥିବାବେଳେ, ରାଜ୍ୟସଭାରେ ପ୍ରଶ୍ନକାଳ କେବଳ ୧.୮୫ ଘଣ୍ଟା ଚାଲିଛି ।

ଲୋକସଭାର ଅଧ୍ୟକ୍ଷ ଓମ ବିର୍ଲାଙ୍କ କାର୍ଯ୍ୟସୂଚୀରୁ ମିଳିଥିବା ସୂଚନା ମୁତାବକ ଏଥର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଲୋକସଭାରେ ୧୩ ଘଣ୍ଟା ୪୪ ମିନିଟ୍ ଚର୍ଚ୍ଚା ହୋଇଥିଲା । ଯେଉଁଥିରେ ଗୃହର ୧୪୩ ଜଣ ସଦସ୍ୟ ଭାଗ ନେଇଥିଲେ । ଅନ୍ୟପଟେ ବଜେଟ୍ ଉପରେ ଗୃହରେ ୧୪ ଘଣ୍ଟା ୪୫ ମିନିଟ୍ ଚର୍ଚ୍ଚା ହୋଇଥିଲା । ଏଥର ଅଧିବେଶନରେ ଲୋକସଭାରେ ମୋଟ ୮ଟି ବିଧେୟକ ଆଗତ କରାଯାଇଥିଲା । ତା ମଧ୍ୟରୁ ୬ଟି ବିଧେୟକ ପାରିତ ହୋଇଥିବା ଓମ ବିର୍ଲା ସୂଚନା ଦେଇଛନ୍ତି ।

ସେପଟେ ରାଜ୍ୟସଭାର ୨୫୯ ତମ ଅଧିବେଶନକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି । ଏହି ଅଧିବେଶନରେ ଏଥର ଉଭୟ ଶାସକ ଓ ବିରୋଧୀ ଦଳ ନେତାଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଗୃହରେ ହଙ୍ଗାମା କାରଣରୁ ରାଜ୍ୟସଭା ୧୦୩ ଘଣ୍ଟା ୩୦ ମିନିଟ୍ ଚାଲିପାରିନଥିଲା । ତେବେ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ରାଜ୍ୟସଭା ସମୟର ୫୬.୩ ପ୍ରତିଶତ କାର୍ଯ୍ୟକ୍ଷମ ହୋଇଥିଲା । ହେଲେ ଦ୍ୱିତୀୟ ପର୍ଯ୍ୟାୟରେ କେବଳ ୬.୩ ପ୍ରତିଶତ ସମୟ କାମ ହୋଇପାରିଛି ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ, ସଂସଦର ବଜେଟ୍ ଅଧିବେଶନ ଗତ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହୋଇଥିଲା । ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ସଂସଦର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାପରେ ଫେବ୍ରୁଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବଜେଟ୍ ଉପସ୍ଥାପନ କରିଥିଲେ । ତେବେ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ମାର୍ଚ୍ଚ ୧୩ ତାରିଖରୁ ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଥିଲା, ଯାହା ଆଜି ସମାପ୍ତ ହୋଇଛି ।