ଜାତୀୟ ରାଜନୀତିରେ ବଢୁଛି ବିଜେଡ଼ିର ପତିଆରା : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନ ପାଇଁ ଉଭୟ ଏନଡିଏ ଓ ୟୁପିଏର ପ୍ରୟାସ, ନବୀନଙ୍କୁ ଫୋନ କଲେ ଅମିତ ଶାହ ଓ ଶରଦ ପାୱାର

35

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭାରେ ବଡ ପରୀକ୍ଷା ଦେବେ ମୋଦି ସରକାର । କଂଗ୍ରେସ ନେତୃତ୍ୱରେ ମୋଦି ବିରୋଧୀ ମେଂଟ ଏକାଠି ହେଉଥିବାରୁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ଜେଡିୟୁ ସାଂସଦଙ୍କୁ ସାମ୍ନାକୁ ଆଣି ମେଂଟ ସହଯୋଗୀଙ୍କୁ ଏକାଠି କରିବାକୁ ଚାହୁଁଛି ଏନଡିଏ । ସେପଟେ ଜୋରଦାର ଲଢେଇ ପାଇଁ ପ୍ରସ୍ତୁତି ଚଳାଇଛି ମିଳିତ ବିରୋଧୀ ମେଂଟ । ହେଲେ ମ୍ୟାଜିକ ନମ୍ବର ପାଇଁ କାହାରି ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ଜରୁରୀ ହୋଇପଡିଛି ବିଜେଡି ପରି ଆଭିମୁଖ୍ୟ ସ୍ପଷ୍ଟ କରିନଥିବା ଦଳ । ଯେଉଁଥିପାଇଁ ନବୀନଙ୍କୁ ଫୋନ କରି ସମର୍ଥନ ପାଇଁ ଅନୁରୋଧ କରିଛନ୍ତି ଉଭୟ ଏନଡିଏ ଓ ୟୁପିଏ କ୍ୟାମ୍ପ ।

ଆଗାମୀ ଅଗଷ୍ଟ ୯ ତାରିଖ ଦିନ ୧୧ଟାରେ ହେବ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ଜୁନ୍ ୩୦ ତାରିଖରେ ପି.ଜେ. କୁରିଏନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦବୀ ଖାଲିପଡିଛି । ଗୋଟିଏ ପଟେ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ ଏନଡିଏର ପ୍ରାର୍ଥୀ ହେବା ନେଇ ଗ୍ରୀନ ସିଗନାଲ ମିଳିଛି । । ଅନ୍ୟପଟେ ଏନଡିଏ ପ୍ରାର୍ଥୀଙ୍କୁ କଡା ଟକ୍କର ଦେବା ଲାଗି ପ୍ରସ୍ତୁତି କରୁଛି କଂଗ୍ରେସ ନେତୃତ୍ୱାଧୀନ ମିଳିତ ବିରୋଧୀ ମେଂଟ । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଜେଡିୟୁ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ କରିବା ଲାଗି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମୁମ୍ବାଇରେ ଥିବା ନବୀନଙ୍କ ସହ ଜେଡିୟୁ ମୁଖ୍ୟ ଫୋନଯୋଗେ କଥା ହୋଇଥିବା ଚର୍ଚ୍ଚା ହେଉଛି ।

ଔପଚାରିକ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ଜେଡିୟୁ ସହ ମନୋମାଳିନ୍ୟ ଦୂର କରିବାକୁ ସାଂସଦ ହରିବଂଶ ଏନିଡିଏର ପ୍ରାର୍ଥୀ ହେବା ନେଇ ବିଜେପି ସମ୍ମତି ପ୍ରକାଶ କରିଛି । ଏବଂ ଏହି ମର୍ମରେ ନବୀନଙ୍କୁ ଫୋନ କରି କଥା ହୋଇଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ ଲାଗି ସେ ଅନୁରୋଧ କରିଥିବା ସୂଚନା ମିଳିଛି । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଫୋନକରି ନବୀନଙ୍କ ସହ କଥା ହୋଇଛନ୍ତି ।

ସେହିପରି ସାଂସଦ ବନ୍ଦନା ଚୌହାଣଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଉତାରିବାକୁ ଚାହୁଁଛି ଏନସିପି । କଂଗ୍ରେସ ନେତୃତ୍ୱାଧୀନ ମିଳିତ ବିରୋଧୀ ମେଂଟ ତାଙ୍କୁ ସମର୍ଥନ ଦେବ କି ନାହିଁ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସହମତି ଭିତରେ ପ୍ରାର୍ଥୀ ଦେବାକୁ ସ୍ଥିର କରିଛି । ଆଉ ଏନସିପି ନେତା ଶରଦ ପାୱାର ମଧ୍ୟ ବିଜେଡିର ସମର୍ଥନ ପାଇଁ ନବୀନଙ୍କୁ ଫୋନ କରିଥିବା କୁହାଯାଉଛି ।

ସଂଖ୍ୟା ଦୃଷ୍ଟିରୁ ରାଜ୍ୟସଭାରେ ବିଜେପି ବଡଦଳ ହୋଇଥିଲେ ବି ମ୍ୟାଜିକ ନମ୍ବର ପାଇଁ ଆହୁରି ୩୨ ଜଣ ସଭ୍ୟଙ୍କ ସମର୍ଥନ ଆବଶ୍ୟକ କରୁଛି । ଯେଉଁଥିପାଇଁ ଜେଡିୟୁ ସାଂସଦଙ୍କୁ ଆଗକୁ ଆଣି ଆଭିମୁଖ୍ୟ ସ୍ପଷ୍ଟ କରିନଥିବା ବା ବିରୋଧୀ ମେଂଟକୁ ସମର୍ଥନ କରିନଥିବା ରାଜନୈତିକ ଦଳଙ୍କ ସମର୍ଥନ ଯୋଗାଡ କରିବାକୁ ଚାହୁଁଛି ବିଜେପି ।

ବ୍ୟାଟଲଗ୍ରାଉଣ୍ଡ ରାଜ୍ୟସଭା
ରାଜ୍ୟସଭାର ମୋଟ୍ ସଭ୍ୟ- ୨୪୫
ବିହାରରୁ ଗୋଟିଏ ଆସନ ଖାଲି
ଅର୍ଥାତ ମୋଟ୍ ସଭ୍ୟ ସଂଖ୍ୟା-୨୪୪
ବିଜୟ ପାଇଁ ମ୍ୟାଜିକ ନମ୍ବର- ୧୨୩
ଏନଡିଏ ପାଖରେ ଅଛି- ୯୦
କଂଗ୍ରେସ ଓ ମିଳିତ ବିରୋଧୀ ମେଂଟ- ୧୧୨
ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି- ୪୨


ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଉଭୟ ଏନଡିଏ ଓ ମିଳିତ ବିରୋଧୀ ମେଂଟ ପାଖରେ ମ୍ୟାଜିକ ନମ୍ବର ନଥିବାରୁ ବିଜେଡି, ଟିଆରଏସ, ଏଆଇଏଡିଏମକେ ଏବଂ ୱାଇଏସଆର କଂଗ୍ରେସ ପରି ଆଭିମୁଖ୍ୟ ସ୍ପଷ୍ଟ କରିନଥିବା ଦଳଗୁଡିକର ସମର୍ଥନ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି ।

– ଆସ୍ଥା ଭୋଟ ବେଳେ ମୋଦି ସରକାରଙ୍କୁ ସମର୍ଥନ କରିଥିଲା ଏଆଇଏଡିଏମକେ

– ବିଜେପି ସହ ନିର୍ବାଚନ ପରବର୍ତ୍ତି ମେଂଟ କରିବ ବୋଲି କହିସାରିଛି ଟିଆରଏସ

– ଲୋକସଭାରେ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲା ୱାଇଏସଆର କଂଗ୍ରେସ

– ହେଲେ ଅନାସ୍ଥା ଆଲୋଚନାରୁ ଦୂରେଇ ରହିଥିଲା ବିଜେଡି ଯାହା ଦ୍ୱନ୍ଦ୍ୱ ବଢାଇଥିଲା

– ରାଜ୍ୟସଭାରେ ୯ଜଣ ସାଂସଦ ଥିବା ବିଜେଡିର ଭୂମିକା ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ