କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପରେ ଏବେ ପାଳି ରାଜ୍ୟସଭା ନିର୍ବାଚନର । ରାଜ୍ୟସଭାରେ ଖାଲି ହେଇଥିବା ୧୦ଟି ସିଟରେ ଉପ ନିର୍ବାଚନ କରିବା ନେଇ ଘୋଷଣା କରାଯାଇଛି । ରାଜ୍ୟସଭା ସଚିବାଳୟ ତରଫରୁ ୧୦ଟି ସିଟରେ ଉପ ନିର୍ବାଚନ ହେବା ନେଇ ନୋଟିଫିକେସନ୍ ଜାରି କରାଯାଇଛି । ତେବେ ଏଥର କିନ୍ତୁ ରାଜ୍ୟସଭା ନିର୍ବାଚନ ଏନଡିଏ ମେଣ୍ଟକୁ ଫାଇଦା ଦେବ । ଅନ୍ୟପଟେ ଇଣ୍ଡିଆ ମେଣ୍ଟ ରାଜ୍ୟସଭା ଉପ ନିର୍ବାଚନରେ କ୍ଷତି ସହିବ ବୋଲି ଅନୁମାନ କରାଯାଉଛି ।

Advertisment

ରାଜ୍ୟସଭା ଉପ ନିର୍ବାଚନରେ ସମସ୍ତ ସିଟ୍ ଏନଡିଏ ମେଣ୍ଟ ପାଖକୁ ଯାଇପାରେ ବୋଲି କୁହାଯାଉଛି । କାହିଁକି ନା, ଉପ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଏବେ ବିଜେପି ତଥା ଏନଡିଏ ସରକାର ରହିଛି । ତେଣୁ ଉପ ନିର୍ବାଚନରେ ଏନଡିଏ ବାଜି ମାରିବାକୁ ଥିବାବେଳେ, କଂଗ୍ରେସ ରାଜ୍ୟସଭାରେ ୨ଟି ସିଟ୍ କ୍ଷତି ସହିବ ବୋଲି କୁହାଯାଉଛି ।

କଂଗ୍ରେସର ଦୁଇ ରାଜ୍ୟସଭା ସାଂସଦ କେସି ବେଣୁଗୋପାଳ ଏବଂ ଦୀପେନ୍ଦ୍ର ହୁଡ୍ଡା ଏଥର ଲୋକସଭା ନିିର୍ବାଚନ ଲଢି ଜିତାପଟ ହାସଲ କରିଛନ୍ତି । ବେଣୁଗୋପାଳ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଥିଲାବେଳେ, ହୁଡ୍ଡା ହରିୟାଣାରୁ ରାଜ୍ୟସଭାକୁ ନିର୍ବାଚିତ ହେଇଥିଲେ । ହେଲେ ଏହି ଦୁଇ ରାଜ୍ୟରେ ବର୍ତ୍ତମାନ ବିଜେପି ସରକାର ଥିବାରୁ, ଏନଡିଏ ସମର୍ଥିତ ପ୍ରାର୍ଥୀ ବିଜୟୀ ହେବା ନେଇ ଅନୁମାନ କରାଯାଉଛି ।

ଜେଜେପି ଏନଡିଏ ମେଣ୍ଟଠାରୁ ଅଲଗା ହେବାର କିଛି ମାସ ପରେ, ହରିୟାଣାରେ ରାଜ୍ୟସଭା ଉପ ନିର୍ବାଚନ ହେବାକୁ ଯାଉଛି । ତେଣୁ ଏଠାରେ ରାଜ୍ୟସଭା ଉପ ନିର୍ବାଚନରେ ବହୁତ ବଡ ଖେଳ ହେଇପାରେ ବୋଲି ରାଜନୈତିକ ପଣ୍ଡିତମାନେ କହିବା ଆରମ୍ଭ କଲେଣି । ଏମିତିରେ କଂଗ୍ରେସ ଏଠାରେ ପ୍ରାର୍ଥୀ ଦେବ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟତା ନଥିଲେ ବି, ଯଦି ପ୍ରାର୍ଥୀ ଦିଏ ତେବେ ଭୁପେନ୍ଦ୍ର ହୁଡ୍ଡାଙ୍କ କେହି ପାଖ ଲୋକଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭାର ଯେଉଁ ୧୦ଟି ସିଟ୍ ଖାଲି ହେଉଛି, ସେଥିରୁ ୭ଟି ସିଟ୍ କବଜାରେ ଅଛି । ସେହିପରି ୨ଟି ସିଟ୍ କଂଗ୍ରେସ ଏବଂ ଗୋଟିଏ ସିଟ୍ ଆରଜେଡି ଖାତାରେ ରହିଛି । ରାଜ୍ୟ ହିସାବରେ ବିହାର, ମହାରାଷ୍ଟ୍ର, ଆସାମର ଦୁଇଟି ଲେଖାଏଁ ସିଟ୍ ଖାଲି ହେଇଥିବାବେଳେ । ରାଜସ୍ଥାନ, ତ୍ରିପୁରା, ହରିୟାଣା ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ସିଟ୍ ଖାଲି ହେଇଛି । ରାଜ୍ୟସଭା ନିର୍ବାଚନର ଗଣିତକୁ ଦେଖିଲେ ଜଣାପଡୁଛି ଯେ, କଂଗ୍ରେସର ଦୁଇଟି ସିଟ୍ ଏଥର ବିଜେପିକୁ ଯାଇପାରେ । ସେହିପରି ଅନ୍ୟ ବାକି ଆସନରେ ମଧ୍ୟ ଏନଡିଏ ବାଜିମାତ୍ କରିପାରେ । ମହାରାଷ୍ଟ୍ର, ବିହାର, ଆସାମରେ ଏବେ ଏନଡିଏ ସରକାର ରହିଛି । ତେଣୁ ଏଠାରେ ରାଜ୍ୟସଭା ଉପ ନିର୍ବାଚନରେ ଏନଡିଏ ବିଜୟୀ ହେବ ବୋଲି କୁହାଯାଉଛି ।