ରାଜୁ ମଉସାଙ୍କ ‘କୋକେଇ କାରଖାନା’ରେ ତିଆରି ହେଉଛି ଶବର ଶେଷ ଶଯ୍ୟା  । ୬ ଦଶନ୍ଧି ଧରି ସହରର ସବୁ ଶବ ପାଇଁ ‘କୋକେଇ ମଉସା ସାଜିଛନ୍ତି ରାଜୁ ତୁରୀ । 

254
କନକ ବ୍ୟୁରୋ: ଛଅ ଖଣ୍ଡ କାଠରେ ହେବ ସବାରୀ, ସେହି ସବାରୀରେ ଶବ ଯିବ ସେପାରୀ । ଶବର ଶେଷ ଠିକଣା ଯଦି ଶ୍ମଶାନ ହୁଏ ତେବେ ଶବର ଶେଷ ଶଯ୍ୟା ହୋଇଥାଏ କୋକେଇ । ଆଉ ସେ କୋକେଇ କାରଖାନାର କୋକେଇ ମଉସା ଜଣକ ହେଉଛନ୍ତି ରାଜୁ ତୁରୀ । ରାଉରକେଲାର କୋକେଇ ମ୍ୟାନ୍ ଭାବେ ପରିଚିତ ରାଜୁ ମଉସା ରାତି ହେଉ କି ଦିନ ସବୁବେଳେ ଶବର ଶେଷ ଶଯ୍ୟା ପାଇଁ ପ୍ରସ୍ତୁତ ଥାଆନ୍ତି  ।
ଭରସା ଭାଙ୍ଗିଦେଇଥିବା ଭଙ୍ଗା ଗୋଡ଼, ଭାଙ୍ଗିରୁଜି ଯାଇଥିବା ଭଙ୍ଗା କୁଡ଼ିଆ ଆଉ ଯାହା ଭିତର ଗୋରୁ ଗୁହାଳ ପରି ସଦୃଶ । ସେଇଠି ଜୀବନ କାଟୁଛନ୍ତି ଷ୍ଟିଲସିଟିର କୋକେଇ ମ୍ୟାନ୍ । ଦୀର୍ଘ ୬ ଦଶନ୍ଧି ଧରି ଶବର ଶେଷ ବିଛଣା ତିଆରି କରୁଛନ୍ତି ରାଜୁ ତୁରୀ । ବୟସ ୭୦ ପାର୍ କଲାଣି କିନ୍ତୁ ସହରର ପ୍ରତିଟି ଶବର ଶେଷ ଶଯ୍ୟା ପାଇଁ ରାଜୁ ତୁରୀଙ୍କୁ ଖୋଜେ ରାଉରକେଲା । ଏପର୍ଯ୍ୟନ୍ତ ରାଜୁ ମଉସା ତିଆରି କଲେଣି ୫୦ ହଜାରରୁ ଉର୍ଦ୍ଧ୍ୱ କୋକେଇ । କୋକେଇ ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି ରାଉରକେଲାର ଏହି କୋକେଇ ମ୍ୟାନ୍ ।
ସବୁଠାରୁ ବଡ଼କଥା ହେଲା କି, କୋକେଇ ପାଇଁ ତାଙ୍କ ଦୁଆରକୁ ଯିଏ ବି ଆସେ ସମସ୍ତଙ୍କ ପାଇଁ କୋକେଇର ଦର ସମାନ ରଖନ୍ତି ଦୁଃଖ ସମୟର ଦରଦୀ ମଣିଷ। ଯଦି ଅତି ଗରିବ ଲୋକଟିଏ ତା’ର ମୃତ ପରିଜନ ପାଇଁ କୋକେଇ କିଣିବାରେ ଅସମର୍ଥ, ତା’କୁ ମାଗଣାରେ କୋକେଇ ମଧ୍ୟ ଦେଇଥାନ୍ତି କୋକେଇ ମଉସା । ଦୁର୍ଘଟଣାରେ ଗୋଡ଼ ଭାଙ୍ଗିବା ପରେ ଅଣ୍ଟା ସଳଖି ଭଲ ଭାବେ ଚାଲିପାପାରୁ ନଥିଲେ ମଧ୍ୟ ପରିବାରର ଜୀବନଜୀବିକା ପାଇଁ କୋକେଇ ତିଆରି କରୁଛନ୍ତି କୋକେଇ ମ୍ୟାନ୍  । ଖରା, ବର୍ଷା ଅବା ଶୀତ, ଦିନ ହେଉ କିମ୍ବା ରାତି, ଶବର ଶେଷ ଶଯ୍ୟା ପାଇଁ ମୃତକଙ୍କ ପରିବାର ଲୋକ ପହଞ୍ଚିଲା ମାତ୍ରେ ସେ‌ କୋକେଇ ତିଆରି କରିଦିଅନ୍ତି । ଏହି ମହତ କାର୍ଯ୍ୟରୁ ତାଙ୍କୁ ଅନେକ ଆନନ୍ଦ ମିଳୁଥିବାରୁ ପରିବାରର ବାରଣ ସତ୍ତ୍ୱେ ଏହି କାମକୁ ଛାଡି ପାରି ନାହାନ୍ତି । ଯେଉଁଥିପାଇଁ ତାଙ୍କ ପରିବାର ଲୋକ ନିକଟସ୍ଥ ବସ୍ତିରେ ଯାଇ ରହୁଛନ୍ତି ।
ତେବେ ଦିନେ ନା ଦିନେ କୋକେଇରେ ସମସ୍ତଙ୍କୁ ଯିବାକୁ ପଡ଼ିବ ତଥାପି ଯେ ପର୍ଯ୍ୟନ୍ତ ବଞ୍ଚିଛି ସେ ପର୍ଯ୍ୟନ୍ତ ସହରବାସୀଙ୍କ ଦୁଃଖ ସମୟରେ ଶବର ଶେଷ ଶଯ୍ୟା ତିଆରି କରୁଥିବି ବୋଲି କହନ୍ତି ରାଜୁ ତୁରୀ । ଆଉ କୋକେଇ ମଉସାଙ୍କ ଏହି କେଇପଦ କଥା ତାଙ୍କୁ ଷ୍ଟିଲ ସିଟିରେ ଦେଇଛି ନୂଆ ପରିଚୟ ।