କନକ ବ୍ୟୁରୋ : ରାଜୁ ଶ୍ରୀବାସ୍ତବଙ୍କ ୫୮ ବର୍ଷ ବୟସରେ ଦେହାନ୍ତ ହୋଇଛି । ହୃଦଘାତର ଶିକାର ହେବା ପରେ ୪୨ ଦିନ ଧରି ରାଜୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଉ ଶେଷରେ ଆଖି ବୁଜିଛନ୍ତି କମେଡି କିଙ୍ଗ । ଦେହାନ୍ତ ପରେ ତାଙ୍କ ମୃତଦେହକୁ ଭର୍ଚୁଆଲ୍ ଟେକନିମ୍ ମାଧ୍ୟମରେ ପୋଷ୍ଟମର୍ଟମ କରାଯାଇଛି । ଯାହା ପରେ ତାଙ୍କ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Advertisment

ବଡ଼ କଥା ହେଉଛି, ରାଜୁଙ୍କ ମୃତଦେହର ପୋଷ୍ଟମର୍ଟମ ଯେଉଁ ନୂଆ ଟେକନିକରେ କରାଯାଇଛି, ତାହା ସାଧାରଣ ପୋଷ୍ଟମର୍ଟମ ଠାରୁ ବହୁତ ଅଲଗା । ଏଥିରେ ମଣିଷର ଶରୀରକୁ କାଟିବାକୁ ପଡ଼େ ନାହିଁ । ମେସିନ୍ ଓ ସ୍କ୍ରିନିଂ ଜରିଆରେ ମୃତଦେହର ପୂରା ପୋଷ୍ଟମର୍ଟମ କରାଯାଇଥାଏ । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ପୋଷ୍ଟମର୍ଟମ ପାଇଁ ବହୁତ କମ୍ ସମୟ ଲାଗିଥାଏ ଏବଂ ଶୀଘ୍ର ମୃତହେଦକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦିଆଯାଏ । ଭର୍ଚୁଆଲ ପୋଷ୍ଟମର୍ଟମକୁ ଭିଟ୍ରୋପ୍ସି ମଧ୍ୟ କୁହାଯାଏ, ଯାହା ଭର୍ଚୁଆଲ୍ ଓ ଅଟୋପ୍ସି ଶବ୍ଦର ମିଶ୍ରଣ ଅଟେ ।

ଭର୍ଚୁଆଲ ପୋଷ୍ଟମର୍ଟମରେ ମୃତଦେହର ଯାଞ୍ଚ ମେସିନ୍ ସହାୟତାରେ ହୋଇଥାଏ, ଯେଉଁଥିରେ ସିଟି ସ୍କାନ ଓ ଏମଆଇଆର୍ ମେସିନ୍ ସାମିଲ୍ ଅଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏହା କେବଳ କମ୍ ସମୟ ନେଇନଥାଏ ବରଂ ମେସିନ୍ ସହାୟତାରେ ମୃତ୍ୟୁର କାରଣ ବିଷୟରେ ମଧ୍ୟ ଭଲଭାବେ ଆକଳନ କରିବାରେ ସାହାଯ୍ୟ କରିଥାଏ । ଏହାସହ ଭର୍ଚୁଆଲ ପୋଷ୍ଟମର୍ଟମରେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବାରେ କୌଣସି ଅର୍ଥ ନାହିଁ, କାରଣ ଶରୀରରେ କୌଣସି କଟା ଦାଗ ନଥାଏ । ପ୍ରକୃତରେ ଶବ ବ୍ୟବଚ୍ଛେଦ ପାଇଁ ବହୁ ଲୋକ ମନା କରିଥାନ୍ତି, କାରଣ ଶରୀରର କିଛି ସ୍ଥାନରେ କଟା ଦାଗ ରହିଥାଏ ।

୨୦୧୮ରେ ପାଥୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ଏକ ଆର୍ଟିକଲରେ ଭର୍ଚୁଆଲ ଅଟୋପ୍ସି ଓ ସାଧାରଣ ଅଟୋପ୍ସି ଫଳାଫଳର ତୁଳନା କରାଯାଇଥିଲା । ଆଉ ଉଭୟ ପୋଷ୍ଟମର୍ଟମର ଫଳାଫଳ ପ୍ରାୟ ସମାନ ଥିଲା । ଆର୍ଟିକଲ ଅନୁସାରେ, ଭର୍ଚୁଆଲ ଅଟୋପ୍ସିରେ ୨୩ରୁ ୧୫ ମାମଲାରେ ସଠିକ୍ ସୂଚନାକୁ ଆକଳନ କରାଯାଇଥିଲା । ତେବେ ଗୋଟିଏ ମୃତଦେହ ଏପରି ଥିଲା, ଯାହାର ସାଧାରଣ ପୋଷ୍ଟମର୍ଟମ ଓ ଭର୍ଚୁଆଲ ପୋଷ୍ଟମର୍ଟମ ଫଳାଫଳ ସମାନ ରହିଥିଲା ।