୯ ଦିନ ପରେ ବି କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଫେରୁନି ଚେତା : ଡାକ୍ତର କହିଲେ, ମସ୍ତିଷ୍କରେ ଜମିଛି ପାଣି, ବ୍ରେନ୍ ଡେଡ୍ ଆଶଙ୍କା

172

କନକ ବ୍ୟୁରୋ : ନିଜ ମଜାଳିଆ ଢଙ୍ଗରେ ଲୋକଙ୍କୁ ହସାଉଥିବା ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଜୀବନ ମରଣ ଭିତେରେ ସେ ସଂଘର୍ଷ କରୁଛନ୍ତି । ସେ ୯ ଦିନ ହେବ ଦିଲ୍ଲୀ ଏମ୍ସ ଭେଟିଲେଟରରେ ରହିଛନ୍ତି । ଏବେ ରାଜୁ ଶ୍ରୀବାସ୍ତବଙ୍କ ନିଃଶ୍ୱାସ ପ୍ରଶ୍ୱାସ ଚାଲୁଛି । କିନ୍ତୁ ଶରୀରର ବାକି ଅଙ୍ଗ କାମ କରୁନାହିଁ । ରାଜୁଙ୍କୁ ଦେଖିବାକୁ ଯାଇଥିବା ତାଙ୍କ ସହଯୋଗୀ ତଥା ଅନ୍ୟତମ କମେଡିଆନ ସୁନୀଲ ପାଲ୍ ଏହି ସୂଚନା ଦେଇଛନ୍ତି ।

ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ଅଧିକ ଖରାପ ହେବାରେ ଲାଗିଛି । ତାଙ୍କର ମସ୍ତିଷ୍କରେ ପାଣି ଜମିଥିବା ଜଣାପଡ଼ିଛି । ତେଣୁ ମସ୍ତିଷ୍କ ଏକପ୍ରକାର ଡେଡ୍ ସ୍ଥିତିରେ ପହଞ୍ଚିଥିବା କହିଛନ୍ତି ତାଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ୍ ସକ୍ସେନା । ସେ କହିଛନ୍ତି, ଏବେ ସବୁକିଛି ଭଗବାନଙ୍କ ଉପରେ ଛାଡ଼ି ଦିଆଯାଇଛି । କୌଣସି ଚମକ୍ରାର ହିଁ ରାଜୁଙ୍କୁ ସୁସ୍ଥ କରିପାରିବ । ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ତାଙ୍କ ଫ୍ୟାନ୍ ଓ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଛି । ଅଜିତ୍ କହିଛନ୍ତି, ଡାକ୍ତରଙ୍କ କହିବା ଅନୁସାରେ ରାଜୁଙ୍କୁ ମସ୍ତିଷ୍କ କାମ କରୁନାହିଁ । ତାଙ୍କ ମସ୍ତିଷ୍କ ପ୍ରାୟତଃ ମୃତ ସ୍ଥିତିରେ ରହିଛି ।

ହାର୍ଟରେ ମଧ୍ୟ ସମସ୍ୟା ରହିଛି । ଯେଉଁ କାରଣରୁ ସମସ୍ତେ ଚିନ୍ତିତ ଅଛନ୍ତି । ସମସ୍ତେ ଏବେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ବୋଲି ଅଜିତ କହିଛନ୍ତି । ରାଜୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କର କାନପୁର ସ୍ଥିତ ବାସଭବନରେ ସମ୍ପର୍କୀୟ, ବନ୍ଧୁ ଓ ପ୍ରଶଂସକଙ୍କ ଭିଡ଼ ଲାଗିଛି । ଅଗଷ୍ଟ ୧୦ ତାରିଖରେ ଜିମରେ ବ୍ୟାୟାମ କରୁଥିବା ବେଳେ ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ ହୋଇଥିଲା ।