ଜମ୍ମୁ-କାଶ୍ମୀର ରଜୋରୀରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ଜେସିଓ ସହିଦ ଓ ଜଣେ ଆତଙ୍କବାଦୀ ମୃତ

157

କନକ ବ୍ୟୁରୋ : ଜମ୍ମୁ ନିକଟତର ରଜୋରୀରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଏବେ ଏବେ ମିଳିଥିବା ସୂଚନା ମୁତାବକ ଏହି ଗୁଳି ବିନିମୟରେ ଜେଣ ଜେସିଓ ସହିଦ ହୋଇଥିବା ବେଳେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । କହିରଖୁ କି ଥାନାମଣ୍ଡି କ୍ଷେତ୍ରରେ ଆତଙ୍କବାଦୀମାନେ ଲୁଚିଥିବା ସୂଚନା ପାଇବା ପରେ ସୁରକ୍ଷା ବଳର ଏକ ସଂଯୁକ୍ତ ଟିମ୍ ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲା । ଏହାର ଜବାବରେ ସେନା ପକ୍ଷରୁ ବି ଗୁଳି ଚଳାଯାଇଥିଲା ।

ସେନାର ପ୍ରବକ୍ତା ଲେପ୍ଟଟାଣ୍ଟ କର୍ଣ୍ଣଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି କି ଏହି ସଂଘର୍ଷରେ ରାଷ୍ଟ୍ରୀୟ ରାଇଫଲର ଜଣେ ଜେସିଓଙ୍କ ଦେହରେ ଗୁଳି ବାଜିଥିଲା । ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏହାସହ ସେନା ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି ।

କହିରଖୁ କି ଏହା ପୂର୍ବରୁ ଅଗଷ୍ଟ ୬ ତାରିଖରେ ସୁରକ୍ଷା କର୍ମୀମାନେ ଥାନାମଣ୍ଡି ଅଞ୍ଚଳରେ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ । ଏହାପରେ ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର ରଜୋରୀ ଅଞ୍ଚଳକୁ ପଳାଇଯାଇଥିଲେ । ଗୁଇନ୍ଦା ବିଭାଗର ସୂଚନା ମୁତାବକ ଏହି ଆତଙ୍କବାଦୀମାନେ ଜୈଶ-ଏ-ମହମ୍ମଦ ଓ ଲସ୍କର ଇ- ତୋଇବା ସଂଗଠନ ସହ ଜଡିତ । ସେମାନେ ଆଇଇଡି ଲଗାଇ ଜମ୍ମୁ ସଂଭାଗ ଅଞ୍ଚଳରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ ।