ବାୟୁସେନା ଦିବସରେ ଭାରତକୁ ମିଳିବ ରାଫେଲ ବିମାନ । କାଲି ଫ୍ରାନ୍ସରେ ରାଫେଲ ଉଡାଇବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

424

କନକ ବ୍ୟୁରୋ : ଭାରତୀୟ ବାୟୁସେନା ଦିବସରେ ଭାରତକୁ ମିିଳିବାକୁ ଯାଉଛି ପ୍ରଥମ ରାଫେଲ ଯୁଦ୍ଧ ବିମାନ । ରାଫେଲ ଆଣିବାକୁ ଫ୍ରାନ୍ସ ଗସ୍ତରେ ଅଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଆସନ୍ତାକାଲି ସେ ରାଫେଲ ଯୁଦ୍ଧବିମାନରେ ପ୍ରଥମେ ଉଡାଣ ଭରିବେ । ସେପଟେ ୨୦୨୦ ସୁଦ୍ଧା ୪ଟି ରାଫେଲ ଯୁଦ୍ଧ ବିମାନ ଭାରତକୁ ମିଳିଯିବ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି ।

ରାଜନାଥ ଆଣିବେ ପ୍ରଥମ ରାଫେଲ୍ । ୮ରେ ଗ୍ରହଣ କରିବେ ପ୍ରତିରକ୍ଷା ମନ୍ତ୍ରୀ । ଫ୍ରାନ୍ସଠାରୁ ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ କିଣିବା ନେଇ ଅନେକ ବାଦ ବିବାଦ ହୋଇଛି । ବିଶେଷ କରି ମୋଦି ସରକାରଙ୍କ ବିରୋଧରେ ଏହାକୁ ନିର୍ବାଚନୀ ପ୍ରଚାରର ପ୍ରମୁଖ ଅସ୍ତ୍ର କରିଥିଲା ବିରୋଧୀ କଂଗ୍ରେସ । ତେବେ ତମାମ ପ୍ରଚାରର ପ୍ରଭାବ ମୋଦି ସରକାରଙ୍କ ଉପରେ ପଡିନଥିବାବେଳେ ରାଫେଲ ଡିଲ ସହ ଆଗକୁ ବଢିଥିଲେ ବିଜେପି ସରକାର । ଏବେ ଫ୍ରାନ୍ସର ଡାସଲ୍ଡ ଏଭିଏସନଠାରୁ ପ୍ରଥମ ରାଫେଲ ବିମାନ ଆଣିବା ଲାଗି ଫ୍ରାନ୍ସରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପୂର୍ବରୁ ଏହା ସେପ୍ଟମ୍ବର ୨୦ ତାରିଖ ସୁଦ୍ଧା ମିଳିଯିବ ବୋଲି କୁହାଯାଉଥିଲା । କିନ୍ତୁ ଅକ୍ଟୋବର ୮ ତାରିଖରେ ଏହି ବିମାନ ଆଣିବା ପଛରେ ଦୁଇଟି କାରଣ ଥିବା କୁହାଯାଉଛି ।

୧- ଏହିଦିନ ଦଶହରା ପଡୁଛି
୨- ବାୟୁସେନା ପ୍ରତିଷ୍ଠା ଦିବସ ମଧ୍ୟ ରହିଛି ।

ତେଣୁ ଏହି ଦିନକୁ ବାଛିଛନ୍ତି କେନ୍ଦ୍ର ସରକାର । ୨୦୨୦ ସୁଦ୍ଧା ୪ଟି ରାଫେଲ ଯୁଦ୍ଧ ବିମାନ ଭାରତକୁ ମିଳିଯିବ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି । ଫ୍ରାନ୍ସର ଡାସଲ୍ଡ ଏଭିଏସନଠାରୁ ୩୬ଟି ରାଫେଲ ବିମାନ କିଣିବାକୁ ଚୁକ୍ତି ହୋଇଛି ।

କୁହାଯାଉଛି ଫ୍ରାନ୍ସ ସହ ରାଫେଲ ଡିଲରେ ପ୍ରମୁଖ ଭୂମିକା ନେଇଥିଲେ ଆରକେଏସ ଭଦୋରିଆ । ପ୍ରାୟ ୬୦ ହଜାର କୋଟିରେ କିଣାଯିବାକୁ ଥିବା ୩୬ଟି ରାଫେଲ ଯୁଦ୍ଧ ବିମାନ ପାଇଁ ଭାରତୀୟ ମୂଲଚାଲ ଟିମର ସେ ଥିଲେ ଅଧ୍ୟକ୍ଷ । ଏବେ ତାଙ୍କରି ଅଧିନରେ ରାଫେଲ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି ।
ଫ୍ରାନ୍ସ ଏୟାରବେସରେ ପ୍ରସ୍ତୁତ ହୋଇ ରହିଛି ଭାରତ ଆସିବାକୁ ଥିବା ବିଶ୍ୱର ସବୁଠାରୁ ଦୁର୍ଦ୍ଦଶ ଲଢୁଆ ବିମାନ କୁହାଯାଉଥିବା ରାଫେଲ ଜେଟ୍ । ଅନେକ ବାଦ ବିବାଦ, ରାଜନୈତିକ ଆକ୍ରମଣ ଓ ପ୍ରତିଆକ୍ରମଣ ଭିତରେ ଭାରତକୁ ଆସିବାକୁ ଯାଉଛି ୩୬ ରାଫେଲ ଜେଟ୍ । ଫିଫଥ ଜେନେରେସନର ଯୁଦ୍ଧ ବିମାନ କୁହାଯାଉଥିବା ଏହି ଜେଟକୁ ଅପେକ୍ଷା କରି ରହିଛି ଭାରତୀୟ ବାୟୁ ସେନା ।

ରାଫେଲ ଲଢୁଆ ବିମାନ : 
– ଆକଶମାର୍ଗରେ ହିଁ ଶତ୍ରୁ ବିମାନକୁ ଟାର୍ଗେଟ୍ କରିପାରିବ
– ଆକାଶମାର୍ଗରେ ରହି ଭୂପୃଷ୍ଠରେ ଟାର୍ଗେଟକୁ ହିଟ୍ କରିବ
– ଆକାଶମାର୍ଗରୁ ପରମାଣୁ ଯୁଦ୍ଧାସ୍ତ୍ର ନିକ୍ଷେପ କରିବାକୁ ସମର୍ଥ
– ଶତ୍ରୁ ବିମାନକୁ ଲୋକେଟ୍ କରିବ ଓ ରାଡାରକୁ ଜାମ୍ କରିଦେବ
– ଆକ୍ରମଣ କରି ଫେରିଆସିବାକୁ ରହିଛି ସ୍ୱତନ୍ତ୍ର ସିଷ୍ଟମ
– ଅଳ୍ପ ଉଚ୍ଚରେ ଉଡି ଅଥବା ଉଚ୍ଚରେ ଥାଇ ଯୁଦ୍ଧ କରିବାକୁ ସମର୍ଥ

ରାଫେଲ ବିମାନର ଡେଲିଭରି ପୂର୍ବରୁ ଏକ ଅନୁଧ୍ୟାନକାରୀ ଦଳ ମାସେହେଲା ଫ୍ରାନ୍ସରେ ରହିଛି । ଗତ ସପ୍ତାହରେ ଯୁଦ୍ଧ ବିମାନର ସମସ୍ତ କାଗଜପତ୍ର ଗ୍ରହଣ କରିସାରିଛନ୍ତି ବାୟୁସେନା ମୁଖ୍ୟ । ଏବେ ଔପଚାରିକ ଭାବେ ରାଫେଲ ଯୁଦ୍ଧ ବିମାନକୁ ଗ୍ରହଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।