କେନ୍ଦ୍ରାପଡା ରାଜନଗରରେ ମହାଦୁର୍ନୀତି ଅଭିଯୋଗ : ରାସ୍ତା କାମ ପାଇଁ ଗୋଟିଏ ମାସରେ ଦୁଇ ଦୁଇ ଜଣ ଠିକାଦାରଙ୍କୁ ଦିଆଯାଇଛି ଟେଣ୍ଡର

 ନିମ୍ନ ମାନର ନିର୍ମାଣ କାମ ଅଭିଯୋଗ

116

କନକ ବ୍ୟୁରୋ : ରାସ୍ତା କାମରେ ମହାଦୁର୍ନୀତି । ଗୋଟିଏ ରାସ୍ତା କାମ ପାଇଁ ଦୁଇ ଥର ଟେଣ୍ଡର । ମାଟି, ବାଲି ଓ ମୋରମ୍ କାମ ପରେ ସେହି ରାସ୍ତାରେ ପୁଣି ମାଟି କାମ କରିବା ପାଇଁ ଟେଣ୍ଡର ହୋଇଛି । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ରାଜନଗରରୁ । ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଆଖିବୁଜା ଦୁର୍ନୀତି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଲୋକଙ୍କ କହିବା ଅନୁସାରେ, ରାଜନଗର ବ୍ଲକର ଆରଡି ରାସ୍ତା ଠାରୁ ରାଜବିଜୟନଗର ଭାୟା ବଳଭଦ୍ରପୁର ରାସ୍ତାର ପ୍ରାୟ ୧୨ ଶହ ମିଟର ରାସ୍ତା ନିର୍ମାଣ ପାଇଁ ୧୪ ଡିସେମ୍ବର ୨୦୨୦ରେ ଟେଣ୍ଡର କରାଯାଇଥିଲା ।

ଗୋଟିଏ ମାସରେ ଦୁଇଜଣ ଠିକାଦାର ୨୫ ଲକ୍ଷ ଟଙ୍କାର ଟେଣ୍ଡର ପାଇଛନ୍ତି । ପ୍ରଥମ ଏଷ୍ଟିମେଟରେ ମାଟି, ବାଲି, ମୋରମ କାମ ପାଇଁ ଟେଣ୍ଡର ହୋଇଥିବା ବେଳେ ଦ୍ୱିତୀୟ ଏଷ୍ଟିମେଟରେ ବି ମାଟି କାମ ଦିଆଯାଇଛି । ଅର୍ଥାତ ପ୍ରଥମେ ବାଲି, ମୋରମ କାମ ସରିବା ପରେ ପୁଣି ରାସ୍ତା ଉପରେ ମାଟି ପଡିବ । ପ୍ରଥମ ଠିକାଦାର ଏଷ୍ଟିମେଟ ଅନୁଯାୟୀ କାମ ନକରି ୪ଶହ ମିଟର ରାସ୍ତାରେ କେବଳ ଡଷ୍ଟ ପକାଇଥିବା ବେଳେ ଦ୍ୱିତୀୟ ଠିକାଦାର ର’ଠ କରି କାମ କରି କାମ ସାରି ଦେଇଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ପରେ ବି ଗ୍ରାମ୍ୟ ଉନ୍ନୟନ ଅଧିକାରୀମାନେ ଶୁଣୁ ନଥିବାରୁ ଅସନ୍ତୋଷ ଦାନା ବାନ୍ଧୁଛି ।