ଭାଙ୍ଗୁଛି ଗେହଲଟଙ୍କ ଗଡ, ଧିରେ ଧିରେ ବଢୁଛି ପାଇଲଟଙ୍କ ବଳ

699

କନକ ବ୍ୟୁରୋ : ରାଜସ୍ଥାନ ରାଜନୀତିରେ ପାଇଲଟ ଓ ଗେହଲଟଙ୍କ ଯୁଦ୍ଧ ଏବେ ରୋଚକ ମୋଡରେ ପହଂଚିଛି । ସେପଟେ ଗେହଲଟ ଉଭୟ ମୁଖ୍ୟମନ୍ତ୍ରୀ ଓ ଦଳର ଜାତୀୟ ଅଧ୍ୟକ୍ଷ ହେବାକୁ କୁଟନୀତି ଚଳାଇଥିବା ବେଳେ ଏବେ ଗେହଲଟଙ୍କ ସମର୍ଥିତ ବିଧାୟକମାନେ ଜଣଙ୍କ ପରେ ଜଣେ ପାଇଲଟଙ୍କୁ ସମର୍ଥନ କରିବା ଆରମ୍ଭ କରିଛନ୍ତି । ଗତକାଲି ଗେହଲଟଙ୍କ କ୍ୟାମ୍ପର ବିଧାୟକ ଇନ୍ଦିରା ମିଣା, ମଦନ ପ୍ରଜାତି ଓ ଜିତେନ୍ଦ୍ର ସିଂ ପାଇଲଟଙ୍କୁ ସମର୍ଥନ କରି ବୟାନ ଦେଇଥିବା ବେଳେ ଆଜି ଚତୁର୍ଥ ବିଧାୟକ ଭାବେ ସନ୍ଦୀପ ଯାଦବ ବି ପାଇଲଟଙ୍କ କ୍ୟାମ୍ପକୁ ଡିଆଁ ମାରିଛନ୍ତି ।

ମଙ୍ଗଳବାର ସକାଳେ ଗେହଲଟ କ୍ୟାମ୍ପର ବିଧାୟକ ସନ୍ଦୀପ ଯାଦବ ଏକ ଭିଡିଓ ମେସେଜ ଜାରି କରିଛନ୍ତି । ଏଥିରେ ସେ କହୁଛନ୍ତି ଯେ, ମୁଁ କଂଗ୍ରେସର ହାଇକମାଣ୍ଡଙ୍କ ସହ ରହିଛି, ଏହାସହ ମଦନ ପ୍ରଜାପତି ଏକ ବୟାନରେ କହିଛନ୍ତି କି ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେଲେ ତାଙ୍କର କିଛି ଅସୁବିଧା ନାହିଁ । ଅନ୍ୟପଟେ ଇନ୍ଦିରା ମିଣା ଅଭିଯୋଗ କରିଛନ୍ତି କି ପ୍ରଥମେ ଆମକୁ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ଡକାଯାଇଥିଲା । ଏହାପରେ କୁହାଗଲା କି ଶାନ୍ତି ଧାରିୱାଲଙ୍କ ଆବାସକୁ ଆସନ୍ତୁ । ସେଠାରେ ଆମଠାରୁ ଏକ କାଗଜରେ ଦସ୍ତଖତ ନିଆଗଲା । ହେଲେ କାଗଜରେ କଣ ଲେଖାଥିଲା ତାହା ପଢିବାକୁ ଆମକୁ ସୁଯୋଗ ଦିଆଗଲା ନାହିଁ । ହେଲେ ପାଇଲଟ ମୁଖ୍ୟମନ୍ତ୍ରୀ ହେଲେ ତାଙ୍କର କୌଣସି ଅଭିଯୋଗ ନଥିବା କଥା ସେ କହିଛନ୍ତି ।

ପ୍ରଥମେ ଗେହଲଟ ସମର୍ଥିତ ବିଧାୟକମାନେ ୩ ଟି ସର୍ତ୍ତ ରଖିଥିଲେ । ପ୍ରଥମ ସର୍ତ୍ତ ଥିଲା କି, ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରା ନଯାଉ, ଦ୍ୱିତୀୟ ସର୍ତ୍ତର୍ ଭାବେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ନସରିବା ପର୍ଯ୍ୟନ୍ତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ନେଇ କୌଣସି ନିଷ୍ପତ୍ତି ନ ନିଆଯାଉ । ତୃତୀୟ ସର୍ତ୍ତର୍ ଭାବେ ଗେହଲଟ ଦଳର ଜାତୀୟ ଅଧ୍ୟକ୍ଷ ସହ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ରହିବାକୁ ଦିଆଯାଉ ।