ସଚିନ ପାଇଲଟଙ୍କୁ ବିଜେପି ନେତାଙ୍କ ଅଫର, ବିଜେପିରେ ଯୋଗ ଦେବାକୁ ଇସାରା

162

କନକ ବ୍ୟୁରୋ : ରାଜସ୍ଥାନରେ କ୍ଷମତା ସଂକଟ ଓ କଂଗ୍ରେସର ଦଳୀୟ କନ୍ଦଳ ଭିତରେ ଜଣେ ବିଜେପି ବିଧାୟକଙ୍କ ବୟାନ ଏବେ ଚର୍ଚ୍ଚା ଘେରକୁ ଆସିଛି । ବିଜେପି ବିଧାୟକ କାଳୀଚରଣ ସରାଫ କହିଛନ୍ତି ଯେ, ଆମ ଦ୍ୱାର ସବୁବେଳେ ଖୋଲା ରହିଛି । ଯଦି କେହି କଂଗ୍ରେସ ସରକାର ଭାଙ୍ଗିବାରେ ବିଜେପିକୁ ସହଯୋଗ କରେ ତେବେ ଆମେ ତାଙ୍କୁ ସହଯୋଗ କରିବୁ । କାଳୀଚରଣ କହିଛନ୍ତି କି, କଂଗ୍ରେସ ଭିତରେ ଯେଉଁ କନ୍ଦଳ ଲାଗିଛି ସେଥିରେ ବିଜେପିର କୌଣସି ଭୂମିକା ନାହିଁ , ଏହା ତାଙ୍କର ଦଳୀୟ ମାମଲା । ହେଲେ ଘରେ ବସି ଯଦି ଲକ୍ଷ୍ମୀ ଆସୁଛନ୍ତି ତାକୁ ଗ୍ରହଣ କରିବା ଉଚିତ । ସେ ଏଭଳି ଇଶାରା ସଚୀନ ପାଇଲଟଙ୍କ ଉର୍ଦ୍ଦେଶ୍ୟରେ କହିଥିବା ଆଲୋଚନା ହେଉଛି ।

ମାଲବୀୟ ନଗର ବିଜେପି ବିଧାୟକ କାଳୀଚରଣ କଂଗ୍ରେସର ଏବେକାର ସ୍ଥିତି ଉପରେ ବେଶ୍ ମଜା ନେଇଛନ୍ତି । ସେ କହିଛନ୍ତି କି କଂଗ୍ରେସ ହେଉଛି ଏକ ବୁଡି ଯାଉଥିବା ଜାହାଜ । ସେହି ଜାହାଜରେ ଯେଉଁମାନେ ବସିଥିଲେ ଏବେ ଜୀବନ ବିକଳରେ ଇଆଡେ ସିଆଡେ ଦୌଡିବାରେ ଲାଗିଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି ।

ସେପଟେ ଯଦି କାଳୀଚରଣଙ୍କ କଥା କୁହାଯିବ ତେବେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରାରାଜେ ସ୍କିନ୍ଦିଆଙ୍କ ଅତି ନିକଟତର । ବସୁନ୍ଧରାଙ୍କ ସରକାରରେ କାଳୀଚରଣ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ । ଗୋଟିଏ ସପ୍ତାହ ଧରି କଂଗ୍ରେସରେ ଲାଗି ରହିଥିବା କନ୍ଦଳ ବାବଦରେ ବିଜେପି କୌଣସି ପ୍ରତିକ୍ରିୟା ଦେଉନଥିବା ବେଳେ ଏବେ କାଳୀଚରଣଙ୍କ ବୟାନ ଅନେକ ଗୁରୁତ୍ୱ ବହନ କରୁଛି ।