କନକ ବ୍ୟୁରୋ : ରାଜସ୍ଥାନର ରାଜନୈତିକ ସଙ୍କଟ ଜାରି ରହିଛି । ଅଶୋକ ଗେହଲଟ ବନାମ ସଚିନ ପାଇଲଟ ଲଢେଇ କଂଗ୍ରେସର ଅଡୁଆ ବଢାଇ ଦେଇଛି । ସଚିନ ପାଇଲଟଙ୍କୁ ରାଜସ୍ଥାନର ପରବର୍ତି ମୁଖ୍ୟମନ୍ତ୍ରୀ ନ କରିବା ପାଇଁ କଂଗ୍ରେସରେ ବିଦ୍ରୋହ ହୋଇଛି । ରବିବାର ରାଜସ୍ଥାନ ଜୟପୁରରେ କଂଗ୍ରେସ ବିଧାୟକଙ୍କ ନାଟକ ପରେ ଦିଲ୍ଲୀରେ କଂଗ୍ରେସ ରାଜନୀତି ସରଗରମ ରହିଛି । ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ନେତାମାନେ ୧୦-ଜନପଥ ଯାଇଥିଲେ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ବି ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ।

Advertisment

ଜୟପୁରରୁ ମଲ୍ଲିକାର୍ଜୁନ ଖଡଗେ ଓ ଅଜୟ ମାକେନ ଜୟପୁର ଯାଇଥିଲେ । ଏହି ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧିଙ୍କୁ ଭେଟି ସମସ୍ତ କଥା କହିଛନ୍ତି । ଖବର ଅମୁସାରେ, ସଭାପତି ପାଇଁ ନାମାଙ୍କନ ସରିଲା ଯାଏଁ ରାଜସ୍ଥାନର ଯଥାସ୍ଥିତି ବଳବତର ରହିବ । ବିଧାୟକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଲିଖିତ ରିପୋର୍ଟ ଦେବା ପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ସଚିନ ପାଇଲଟଙ୍କୁ ବିରୋଧ କରି ଗେହଲଟ ଶିବିରର ୯୦ରୁ ଅଧିକ ବିଧାୟକ ଇସ୍ତଫା ଦେଇଥିଲେ । ଆଉ ରାଜସ୍ଥାନର ରାଜନୈତିକ ହଟଚମଟ ପଛରେ ଗେହଲଟଙ୍କ ହାତ ଥିବା ଚର୍ଚ୍ଚା ହେଉଛି ।