ରାଜସ୍ଥାନରେ ପୁଣି ଦେଖାଦେଲା ସାମ୍ପଦାୟିକ ହିଂସା: ଧାର୍ମିକ ପତାକା ଲଗାଇବାକୁ ନେଇ ଯୋଧପୁରରେ ଗୋଷ୍ଠୀ ସଂଙ୍ଘର୍ଷ

89

କନକ ବ୍ୟୁରୋ: ଅଧରାତିରେ କମ୍ପିଲା ରାଜସ୍ଥାନର ଯୋଧପୁର । ମାରପିଟ ଓ ପଥରଫିଙ୍ଗାଫିଙ୍ଗିରେ ଥରହର ହେଲା ସହର । ଗୋଟେ ପଟେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂର୍ଘଷ,ଅନ୍ୟପଟେ ଏମାନଙ୍କୁ ଆୟତ କରିବା ପାଇଁ ପୁଲିସର ଆପ୍ରାଣ ଉଦ୍ୟମ । ରାତିତମାମ ଏଭଳି କିଛି ସାମ୍ପ୍ରଦାୟିକ ହିଂସା ଭିତରେ ବୁଡି ରହିବା ପରେ ମଙ୍ଗଳବାର ସକାଳୁ ମଧ୍ୟ ଏଠାରେ ସମାନ ଚିତ୍ର ଦେଖିବାକୁ ମିଳିଛି । ନମାଜପାଠ ପରେ ପୁଣି ଦେଖାଦେଇଛି ଉତେଜନା । ମଙ୍ଗଳବାର ମଧ୍ୟ ପୁଲିସ ଉପରକୁ ପଥରମାଡ ମଧ୍ୟ ହୋଇଛିା ଏବଂ ପଥର ମାଡରେ ଏକାଧିକ ପୁଲିସ କର୍ମୀ ଆହତ ହୋଇଥିବା ଦେଖିବାକୁ ମିଳିଛି ।

ଯୋଧପୁର ଜାଲୌରୀ ଗେଟ ଛକ ନିକଟରେ ଧାର୍ମିକ ପତାକା ଲଗାଇବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂର୍ଘଷ ହୋଇଥିଲା । ସୋମବାର ସଂଧ୍ୟାରେ ମୁସଲିମ ସର୍ମ୍ପଦାୟର ଏକ ଗୋଷ୍ଠୀ ନିଜର ଧାର୍ମିକ ପତାକା ଓ ପର୍ଶୁରାମ ଜୟନ୍ତୀ ଅବସରରେ ହିନ୍ଦୁ ସମ୍ପ୍ରଦାୟର ଏକ ଗୋଷ୍ଠୀ ପତାକା ଲଗାଇବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଘଟଣା ପରେ ବଡ ସଂର୍ଘଷର ରୂପ ନେଇଥିଲା ।

ଘଟଣାକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଉପଦ୍ରବୀଙ୍କ ଉପରେ ଲାଠିଚାର୍ଜ କରିବା ସହ ଲୁହାବୁହା ଗ୍ୟାସ ପ୍ରୟୋଗ କରିଛି । ପୂରା ସହରରେ ଇଂଟରନେଟସେବା ଠପ କରାଯାଇଛି । ସାରା ସହର ପୁଲିସ ଛାଉଣିରେ ପରିଣତ ହୋଇଛି । ସେପଟେ ପୂରା ଘଟଣା ପାଇଁ ବିଜେପିକୁ ଦାୟୀ କରିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ପଛରେ ବିଜେପିର ଏକ ବଡ ଏଜେଣ୍ଡା ରହିଛି । ସେପଟେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଧ୍ର ସିଂ ସେଖାୱତ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ରାଜ୍ୟରେ ଗୋଟିଏ ପରେ ଗୋଟିଏ ହିଂସା ଘଟୁଛି । ଯାହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟୁଇଟ କରି ଶାନ୍ତିବଜାୟ ରଖିବାକୁ ଅପିଲ କରିଛନ୍ତି ।

ଘଟଣାକୁ ନେଇ ରାଜସ୍ଥାନ ସରକାରଙ୍କ ଉପରେ ପ୍ରଶ୍ନ ଉଠିଛି । ନିକଟରେ ହୋଇଥିବା କରୋଲୀ ସାମ୍ପ୍ରଦାୟିକ ହିଂସା ପରେ ଗେହଲଟ ସରକାର ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ କଣ ପାଇଁ କଡ଼ାକଡ଼ି କରିନଥିଲେ? ଉତ୍ସବ ମାହୋଲରେ ସାମ୍ପ୍ରଦାୟିକା ହିଂସା ଆଶଙ୍କା ଭିତରେ ରାଜ୍ୟ ସରକାର ସର୍ତକତା କଣ ପାଇଁ ଗ୍ରହଣ କରିନଥିଲେ? ଆଇନ ସୃଙ୍ଖଳା ବ୍ୟବସ୍ଥାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀ ।