ଉଦୟପୁର ହତ୍ୟା ଘଟଣାକୁ ନେଇ ସାରା ଦେଶରେ ପ୍ରଦର୍ଶନ ଜାରି, ମୃତକଙ୍କ ପରିବାରକୁ ଭେଟି ୫୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନକଲେ ମୁଖ୍ୟମନ୍ତ୍ରୀ

283

କନକ ବ୍ୟୁରୋ : ରାଜସ୍ଥାନର ଉଦୟପୁରରେ କହ୍ନେୟାଲାଲଙ୍କ ହତ୍ୟାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ହରିଆଣା, ରାଜସ୍ଥାନ, ମଧ୍ୟ ପ୍ରଦେଶ ସମେତ ଦେଶର ଅନେକ ସ୍ଥାନରେ ହିନ୍ଦୁ ସଂଗଠନମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହାରି ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୃତ କହ୍ନେୟାଲାଲଙ୍କ ପରିବାର ନିକଟରେ ପହଂଚିଛନ୍ତି । ସେଠାରେ ସେ କହ୍ନେୟାଙ୍କ ପରିବାରକୁ ସମବେଦନା ଜଣାଇବା ସହ ୫୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଗେହଲଟ ରାଜ୍ୟବାସୀଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଥିଲେ ।

ଏସବୁ ଭିତରେ ରାଜନୈତିକ ବୟାନବାଜି ଜୋର ଧରିଛି । କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗଜେନ୍ଦ୍ରସିଂ ଶେଖାୱତ କହିଛନ୍ତି କି ଉଦୟପୁର ଘଟଣା ସହ ଗେହଲଟ ସରକାର ସମୟରେ ହୋଇଥିବା ସମସ୍ତ ଭିଡ ହତ୍ୟା ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବାର ଆବଶ୍ୟକତା ରହିଛି । ରାଜସ୍ଥାନ ପୋଲିସ ଉପରେ ରାଜ୍ୟ ସରକାରଙ୍କ ଚାପ ରହୁଥିବା କଥା ସେ ଅଭିଯୋଗ କରିଛନ୍ତି ।

ସେପଟେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ଉଦୟପୁର ହତ୍ୟାକାଣ୍ଡକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ଉଦୟପୁର ହିଂସା ବିଜେପିର ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ । ବିଜେପିର ଘୃଣା ରାଜନୀତି ଏବେ ଦେଶରେ ଅହିଂସାର ବାତାବରଣ ସୃଷ୍ଟି କରିଛି । ଏହାସହ ବିଜେପି ନିର୍ବାଚନ ଜିତିବାକୁ ଦେଶରେ ଏଭଳି ସାଂପ୍ରଦାୟିକ ହିଂସା ଭିଆଉଛୁ ବୋଲି ଅଳକା ଲାମ୍ବା ଅଭିଯୋଗ କରିଛନ୍ତି ।