ଗାଈକୁ ଧରି ବିଧାନସଭା ପହଂଚିଲେ ବିଜେପି ବିଧାୟକ, ଜାଣନ୍ତୁ କାରଣ

60

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭାରେ ସପ୍ତମ ଅଧିବେଶନ ଚଳିତମାସ ୧୯ ତାରିଖରୁ ଆରମ୍ଭ ହୋଇଛି । ଏହି କ୍ରମରେ ବିରୋଧୀ ବିଜେପି ବିଧାୟକମାନେ ହୋ ହାଲ୍ଲା କରିବା ଫଳରେ ୧୯ ତାରିଖ କିଛିସମୟ ବିଧାନସଭା ଚାଲିବା ପରେ ଏହାକୁ ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା । ହେଲେ ୧୯ ତାରିଖ ଦିନ ରାଜସ୍ଥାନ ବିଧାନସଭା ପରିସରରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିିଥିଲା ।

ପୁସ୍କର ବିଧାନସଭା ମଣ୍ଡଳୀରୁ ବିଜେପି ବିଧାୟକ ସୁରେଶ ସିଂ ନିଜ ସାଂଗରେ ଏକ ଗାଈକୁ ଧରି ବିଧାନସଭା ପହଂଚିଥିଲେ । ରାଜ୍ୟରେ ଗୋରୁମାନଙ୍କୁ ହେଉଥିବା ଲମ୍ପି ଭୂତାଣୁ ସଂକ୍ରମଣ ରୋକିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଇବାକୁ ସେ ଏଭଳି କରିଥିଲେ । ହେଲେ ବିଧାନସଭା ବାହାରେ ସୁରେଶ ସିଂ ଗାଇକୁ ଧରି ବାଇଟ ଦେଉଥିବା ବେଳେ ହଠାତ ଗାଇଟି ଦଉଡି ଛିଣ୍ଡାଇ ପଳାଇ ଯାଇଥିଲା । ଏହାପରେ ସେଠି ଉପସ୍ଥିତ ଥିବା ଲୋକମାନେ ଗାଇ ପଛରେ ଦୌଡୁଥିବାର ଦେଖିବାକୁ ମିଳିଥିଲା ।

ବିଧାନସଭା ଭିତରେ ପ୍ରଥମେ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ୩ ଜଣ ବିଧାୟକ ଏହି ପ୍ରସଙ୍ଗ ଉଠାଇଥିଲେ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଥିଲେ କି ଗୋରୁମାନଙ୍କୁ ବ୍ୟାପୁଥିବା ଏହି ରୋଗର ନିରାକରଣ ପାଇଁ ସେ ଅଗଷ୍ଟ ୧୫ ତାରିଖରେ ବିରୋଧୀନେତାଙ୍କ ସହ ଏକ ବୈଠକ କରିଥିଲେ । ଏନେଇ ଭାରତ ସରକାର ଟିକା ଓ ଔଷଧ ଉପଲବ୍ଧ କରାନ୍ତୁ ବୋଲି ସେ କହିଥିଲେ । ହେଲେ ବିରୋଧୀନେତାମାନେ କେନ୍ଦ୍ର ସରକାରଙ୍କୁ ଏନେଇ ଅବଗତ କରାଇବା ପରିବେର୍ତ୍ତ ଏଠାରେ ଡ୍ରାମା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।