ବିଧାନସଭାର ଉପ-ବାଚସ୍ପତି ହେବେ ରଜନୀକାନ୍ତ ସିଂ! ଧର୍ମଶାଳା ବିଧାୟକଙ୍କୁ ସରକାରୀ ଉପ ମୁଖ୍ୟ ସଚେତକ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ ।

459

କନକ ବ୍ୟୁରୋ: ଚଳିତ ବିଧାନସଭାର ଉପ-ବାଚସ୍ପତି ହେବେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ । ଉପ-ବାଚସ୍ପତି ପଦବୀ ନିମନ୍ତେ ରଜନୀକାନ୍ତଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରଜନୀକାନ୍ତଙ୍କ ନାଁରେ ମୋହର ମାରିଛନ୍ତି । ରଜନୀକାନ୍ତ ପୂର୍ବରୁ ବିଜୟର ହ୍ୟାଟ୍ରିକ ମାରିଥିବା ବେଳେ ଚଳିତଥର ଚତୁର୍ଥ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିଧାନସଭାରେ ବିଜେଡିର ୧୧୨ ସଦସ୍ୟ ରହିଥିବାରୁ ରଜନୀକାନ୍ତ ଉପ-ବାଚସ୍ପତି ହେବା ଏକରକମ ସ୍ପଷ୍ଟ ହୋଇଛି ।

ସେହିଭଳି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଦଳ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛନ୍ତି ନବୀନ । ଧର୍ମଶାଳାରୁ ଲଗାତାର ୨ ଥର ବିଧାୟକ ହୋଇଥିବା ପ୍ରଣବଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛି ଦଳ । ଏନେଇ ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ।