କନକ ବ୍ୟୁରୋ : ବିଧାୟକଙ୍କ ଘରେ ପଶି ଆକ୍ରମଣ । ବୁଝାଇବାକୁ ଯାଇଥିବା ପୁଲିସକୁ ମାଡ ମାରିଲେ ଦୁଇ ମଦ୍ୟପ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳୁ ଜିଲ୍ଲାରେ । ଅନୁୁଗୁଳୁ ବିଧାୟକ ତଥା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଘର ପାଖରେ ଦୁଇ ଯୁବକ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ଭୁଜାଲି ବୁଲାଇଥିଲେ । ଖବର ପାଇଁ ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପରେ ସେମାନେ ପୁଲିସ ସହ ଯୁକ୍ତିତର୍କ କରିଥିଲେ । ଏପରିକି ପୁଲିସ ଅଧିକାରୀଙ୍କୁ ମାଡ ମାରିବାକୁ ପଛାଇନଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିଛି । ଦୁବୁର୍ତ୍ତଙ୍କ ଆକ୍ରମଣରେ ହରେଶ ଚନ୍ଦ୍ର ଦଳାଇ ନାମକ ଜଣେ ଏଏସଆଇ ଆହତ ହୋଇଛନ୍ତି ।

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ଗାଁରେ ରଜନୀକାନ୍ତ ସିଂହ ପରିବାର ସହିତ ରୁହନ୍ତି । ସେହି ଗାଁର ଦୀପକ ଭୋଇ ଓ ସିପୁନ ଭୋଇ ଖଣ୍ଡା ଧରି ଘର ସମ୍ମୁଖରେ ପହଞ୍ଚିଥିଲେ । ସେମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି  ଘର ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ବାହାରେ ପଡ଼ିଥିବା ଏକ କାଠ ବେଞ୍ଚ ଉପରେ ଚୋଟ ପକାଇଥିଲେ । ଏହା ଦେଖି ତାଙ୍କ ଘରେ କାମ କରୁଥିବା କର୍ମଚାରୀମାନେ ସେମାନଙ୍କୁ ବାଧା ଦେଇଥିଲେ। ଏପରିକି ଘରେ କାମ କରୁଥିବା ଜଣେ ମହିଳା ପ୍ରମିଳା ମାଟିଆଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ କରିଥିଲେ। ଗାଁ ଭିତରେ ଦୁଇ ଯୁବକଙ୍କ ଏମିତି ଉତ୍ପାତ କରୁଥିବା ସଂପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

କିନ୍ତୁ ପୁଲିସକୁ ବି ସେମାନେ ଛାଡ଼ି ନଥିଲେ। ପୁଲିସ ଏଏସ୍ଆଇ ହରେଶ ଚନ୍ଦ୍ର ଦଳାଇଙ୍କୁ ତଣ୍ଟିଆ ମାରିବା ସହ ମୁଥ ମାରିଥିଲେ। ତାଙ୍କୁ ଘୋଷାଡ଼ି ଡ୍ରେନ୍‌ରେ ପକାଇ ଦେବାକୁ ଚେଷ୍ଟା କରିଥିଲେ। ​ଡ୍ରେସ ଚିରିବା ସହ ବେଲ୍ଟକୁ ଛିଣ୍ଡାଇ ଦେଇଥିଲେ। ଏପରିକି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ପରେ ପୁଲିସ ଦୁଇ ଯୁବକଙ୍କୁ କାବୁ କରି ଥାନାକୁ ନେଇଛି। ଘଟଣା ସମୟରେ ରଜନୀକାନ୍ତ ସିଂହଙ୍କ ଘରେ ଥିବା ସଂପର୍କୀୟ ବୀରେନ୍ଦ୍ର ରାୟ ବଅଁରପାଳ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏହି ଆଧାରରେ ତଦନ୍ତ ଆରମ୍ଭ କରିଛି। ଏପଟେ ଦୁଇ ଯୁବକଙ୍କୁ ଅଟକ ରଖିଛି।