ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ରାଜ୍ୟରେ ସରକାରୀ କର୍ମଚାରୀଙ୍କୁ ସପ୍ତାହରେ ମିଳିବ ୨ ଦିନ ଛୁଟି

221

କନକ ବ୍ୟୁରୋ : ସାରା ଦେଶ ଆଜି ୭୩ ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଏହି କ୍ରମରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘଲେ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସରକାରୀ କର୍ମଚାରୀଙ୍କ ପେନସନରେ ରାଜ୍ୟ ସରକାରଙ୍କ ଭାଗିଦାରୀ ବୃଦ୍ଧି କରିଛନ୍ତି । ପ୍ରଥମେ ସରକାରୀ କର୍ମଚାରୀଙ୍କ ପେନସନରେ ରାଜ୍ୟ ସରକାର ୧୦ ପ୍ରତିଶତ ଦେଉଥିବା ବେଳେ ଏବେ ଏହାକୁ ବୃଦ୍ଧି କରି ୧୪ ପ୍ରତିଶତ କରାଯାଇଛି । ଏହା ବ୍ୟତୀତ ଭୂପେଶ ବଘଲେ କହିଛନ୍ତି କି, ରାଜ୍ୟର ସରକାରୀ କର୍ମଚାରୀମାନେ ଏବେ ସପ୍ତାହକୁ ମାତ୍ର ୫ ଦିନ କାର୍ଯ୍ୟ କରିବେ । ଏନେଇ ଖୁବଶୀଘ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି ।

 

ମୁଖ୍ୟମନ୍ତ୍ରୀ ଭୂପେଶ ବଘଲେ ଆଜି ୭୩ ତମ ଗଣତନ୍ତ୍ର ଦିବସ ଅବସରରେ ବସ୍ତର ଜିଲ୍ଲା ମୁଖ୍ୟାଳୟ ଜଗଦଲପୁରର ଲାଲବାଗ ମୈଦାନରେ ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ପତାକା ଉତ୍ତୋଳନ କରିଥିଲେ । ଏନେଇ ତାଙ୍କୁ ସେନା ତରଫରୁ ଗାର୍ଡ ଅଫ୍ ଅର୍ନର ପ୍ରଦାନ କରାଯାଇଥିଲା ।

 

ଏନେଇ ସେ ତାଙ୍କ ଉଦବୋଧନରେ ରାଜ୍ୟର ଲୋକଙ୍କ ପାଇଁ ଅନେକ ଯୋଜନାର ଘୋଷଣା କରିଥିଲେ । ଯାହା ମଧ୍ୟରେ ପାନୀୟ ଜଳ, ବେଆଇନ କୋଠା ନିର୍ମାଣ, ପ୍ରତ୍ୟେକ ଜିଲ୍ଲାରେ ମହିଳା ସୁରକ୍ଷା ପ୍ରକୋଷ୍ଠ ଗଠନ, ଗଛ କାଟିବା ଆଇନର ପରିବର୍ତ୍ତନ, ଶିଳ୍ପନୀତିର ସଂଶୋଧନ ଆଦି ଘୋଷଣା କରିଥିଲେ । ଏହା ବ୍ୟତୀତ ରାଜ୍ୟରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଥିବା ସଂଖ୍ୟା ପାର୍ଥକ୍ୟକୁ ସମାନ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି କି ଖୁବଶୀଘ୍ର “ମୁଖ୍ୟମନ୍ତ୍ରୀ ନୋନୀ ସଶକ୍ତିକରଣ ” ଯୋଜନା ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ପ୍ରତ୍ୟେକ ହିତାଧିକାରୀମାନେ ସେମାନଙ୍କର ପ୍ରଥମ ୨ ଟି ଝିଅଙ୍କ ପାଇଁ ରାଜ୍ୟ ସରକାର ୨୦-୨୦ ହଜାର ଟଙ୍କା ବ୍ୟାଙ୍କରେ ଜମା କରିବେ ।