ଆଗାମୀ ୪ ଦିନ ରାଜ୍ୟରେ ଜାରି ରହିବ ବର୍ଷା । ଜାଣନ୍ତୁ, ସତର୍କ ରହିବେ କେଉଁ କେଉଁ ଜିଲ୍ଲା…

310

କନକ ବ୍ୟୁରୋ: ଅବପାତ ଦୁର୍ବଳ ହୋଇଚାଲିଥିବା ବେଳେ ଏହା ଏବେ ମଧ୍ୟପ୍ରଦେଶର ଦକ୍ଷିଣରେ ରହିଛି । ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଜାଗାରେ ବର୍ଷା ଜାରି ରହିଛି । ଆଗାମୀ ୪ ଦିନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୧୩ ସେପ୍ଟେମ୍ବରର ପୂର୍ବାନୁମାନ

ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ କିଛି ଜାଗାରେ ପ୍ରବଳ ବର୍ଷା ନେଇ ମଧ୍ୟ ଆକଳନ କରାଯାଇଛି । ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷକରି ସୁନ୍ଦରଗଡ଼, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏହାସହ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଯାଜପୁରରେ ମଧ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

୧୪ ସେପ୍ଟେମ୍ବରର ପୂର୍ବାନୁମାନ

ବୁଧବାର ଅର୍ଥାତ୍ ୧୪ ସେପ୍ଟେମ୍ବରରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁରରେ ବର୍ଷାର ଅନୁମାନ କରିଛି ପାଣିପାଗ ବିଭାଗ । ବୁଧବାର ପାଇଁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୫ ସେପ୍ଟେମ୍ବରରେ ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶାରେ କିଛି କିଛି ସ୍ଥାନରେ ବର୍ଷା ହେବ । ୧୬ ସେପ୍ଟେମ୍ବରରେ ରାଜ୍ୟର କେବଳ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

  • ଫୁଲୁଛି ଜଳକା
  • ବିପଦ ସଙ୍କେତ ଉପରେ ଜଳସ୍ତର
  • ମୋଟୁରେ ବଢ଼ୁଛି ଚିନା ଗୋଦାବରୀ ଜଳସ୍ତର

ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ବସ୍ତାରେ ଜଳକା ନଦୀ ଫୁଲୁଛି । ମଥାନୀଠାରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଠାରୁ ଉପରେ ରହିଛି । ସେପଟେ ମାଲକାନଗିିରି ଜିଲ୍ଲା ମୋଟୁ ଅଂଚଳରେ ପୋଲ ଉପରେ ପ୍ରବାହିତ ହେଉଛି ବର୍ଷା ପାଣି । କୁଇଗୁର୍ ପୋଲ ଉପରେ ୨ରୁ ୩ ଫୁଟ୍ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି ।