ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ: ଆସନ୍ତା ଦୁଇ ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା; ଆଭ୍ୟନ୍ତରୀଣ ଓଡ଼ିଶା ସମେତ ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ପାଣିପାଗ ବିଶେଷଜ୍ଞ କହିଲେ, ଏଯାଏ ଓଡିଶାରେ ନିଅଂଟିଆ ମୌସୁମୀ ବର୍ଷା

3,802

କନକ ବ୍ୟୁରୋ: ରାଜ୍ୟରେ ଏବେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଶ୍ୱସ୍ତିକର ଖବର ମିଳିଛି। ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ। ଘଡ଼ଘଡ଼ି ବିଜୁଳି ସହ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିପାଇଁ କେନ୍ଦ୍ର ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଧା, କଟକ ଓ ବାଲେଶ୍ବରରେ ବର୍ଷା ହେବ।

ସେହିପରି ୨୮ ତାରିଖ ଦିନ ଉପକୂଳ ଓଡ଼ିଶା ସମେତ କଳାହାଣ୍ଡି, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼ ଓ ନୂଆପଡ଼ା ଆଦି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଦୁଇ ଦିନରେ ପୂର୍ବରୁ ଅଧିକ ବର୍ଷା ହୋଇଥିବା ଅଞ୍ଚଳରେ ହିଁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହା ପରେ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ।

ପାଣିପାଗ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଜୁନ୍ ଶେଷ ସୁଦ୍ଧା ଝାରସୁଗୁଡ଼ା, ସୁନ୍ଦରଗଡ଼ ସମେତ ଉତ୍ତର-ପଶ୍ଚିମ ଓଡ଼ିଶାରେ ହାରାହାରି ୭୦ ମିମି, ଦକ୍ଷିଣ ଓଡ଼ିଶାରେ ହାରାହାରି ୫୦ ମିମି ଓ ଉପକୂଳ ଓଡ଼ିଶାରେ ୩୦ ମିମି ବର୍ଷା ହେବ। ଅନ୍ୟପକ୍ଷେ ୩ ତାରିଖଠାରୁ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ପୁଣି ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି।