ଚଳିତବର୍ଷ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ମୌସୁମୀ ବର୍ଷା : ୫ ଜିଲ୍ଲାରେ ନିଅଣ୍ଟିଆ, ୭ ଜିଲ୍ଲାରେ ଅତିରିକ୍ତ ବର୍ଷା

217

କନକ ବ୍ୟୁରୋ : ଚଳିତବର୍ଷ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ମୌସୁମୀ ବର୍ଷା ହୋଇଛି । କିନ୍ତୁ ବର୍ଷାର ଆବଣ୍ଟନରେ ବିରାଟ ତାରତମ୍ୟ ଦେଖିବାକୁ ମିଳିଛି । ୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୭ ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଛି। ଜୁନ୍‌ ୧ରୁ ୨୦ ମଧ୍ୟରେ ରାଜ୍ୟରେ ପାଖାପାଖି ୧୩୬.୨ମିମି ବର୍ଷା ରେକର୍ଡ ହୋଇଛି । ଯାହା ଏହି ସମୟ ମଧ୍ୟରେ ସ୍ବାଭାବିକ ୧୧୭.୪ମିମି ବର୍ଷାଠାରୁ ୧୬% ଅଧିକ । ଏହି ୨୦ ଦିନରେ ପାଖାପାଖି ୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ଯାଜପୁର, ନୟାଗଡ଼, ଗଞ୍ଜାମ ଓ ଗଜପତି । ଏହି ୫ ଜିଲ୍ଲାରେ ସ୍ବାଭାବିକଠାରୁ ୨୦ରୁ ୫୯% ପର୍ଯ୍ୟନ୍ତ କମ୍‌ ବର୍ଷା ହୋଇଛି। ସେହିଭଳି ୭ ଜିଲ୍ଲାରେ ସ୍ବାଭାବିକଠାରୁ ଅତି ଅଧିକ ବର୍ଷା ବା ଅତିରିକ୍ତ ବର୍ଷା ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରାୟ ସ୍ବାଭାବିକଠାରୁ ୬୦% ଅଧିକ ବର୍ଷା ହୋଇଛି। ଉକ୍ତ ଜିଲ୍ଲାଗୁଡ଼ିକ ହେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ନୂଆପଡ଼ା ଓ କୋରାପୁଟ। ସେହିଭଳି ୬ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ବା ୨୦%ରୁ ୫୯% ପର୍ଯ୍ୟନ୍ତ ଅଧିକ ବର୍ଷା ହୋଇଯାଇଛି। ଜିଲ୍ଲାଗୁଡ଼ିକ ହେଲା ଦେବଗଡ଼, ଢେଙ୍କାନାଳ, କଟକ, ଜଗତସିଂହପୁର, ପୁରୀ ଓ ମାଲକାନଗିରି । ଅବଶିଷ୍ଟ ୧୨ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି ।

ସମୀକ୍ଷାରୁ ଜଣାପଡ଼ିଛି ଯେ ଏବେ ଏକ ଟ୍ରଫ୍‌-ଲାଇନ୍‌ ଉତ୍ତର-ପଶ୍ଚିମ ରାଜସ୍ଥାନରୁ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଛି । ଏହା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକା ମଧ୍ୟ ଦେଇ ସମୁଦ୍ର ପତ୍ତନଠାରୁ ୧.୫କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି । ଏହାଛଡ଼ା ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶ ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ରଟି ଏବେ ବି ସେହି ସ୍ଥାନରେ ସକ୍ରିୟ ରହିଛି ।

ଅପରପକ୍ଷେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ ଓ ବରଗଡ଼ ଆଦି ଜିଲ୍ଲା‌‌ରେ ବର୍ଷା ହେବ। ଏହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ୨୨ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା ଓ ସୋନପୁର ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିଭଳି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ବର୍ଷା ହେବ । ସର୍ବାଧିକ ବର୍ଷା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାଠାରେ ୨୬ମିମି ରେକର୍ଡ ହୋଇଛି ।