ବଦଳିବ ପାଣିପାଗ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୪ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

1,802

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୨୪ ଜିଲ୍ଲାରେ ହୋଇପାରେ ଘଡ଼ଘଡ଼ି ସହ ବର୍ଷା । କେତେକ ସ୍ଥାନରେ ବଜ୍ରପାତର ଆଶଙ୍କା ମଧ୍ୟ ରହିଛି। ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶା ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ପ୍ରଭାବରେ ୧୨ତାରିଖ ମଧ୍ୟାହ୍ନ ସୁଦ୍ଧା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଧା ଓ ନୟାଗଡ଼ରେ ହାଲକା ବର୍ଷା ହେବ। ୧୩ ତାରିଖ ସକାଳ ପର୍ୟ୍ୟନ୍ତ କେତେକ ସ୍ଥାନରେ ମେଘୁଆ ପାଗ ରହିବା ସହ ଘଡ଼ଘଡ଼ି ଓ ବଜ୍ରପାତ ହୋଇପାରେ। ଏହା ପରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ସେହିଭଳି ଜାମ୍ମୁ ଓ କାଶ୍ମୀର ସମେତ ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତନ କରିଛି। ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ର କିଛି ଅଞ୍ଚଳ, ପୂର୍ବ ମଧ୍ୟପ୍ରଦେଶ, ପଶ୍ଚିମ ମଧ୍ୟପ୍ରଦେଶର କିଛି ଅଂଶ, ସୌରାଷ୍ଟ୍ର, ଗୁଜୁରାଟ ଓ କଚ୍ଛର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତନ କରିଛି। ତାପମାତ୍ରା ୩ରୁ ୪ଡିଗ୍ରି ପର୍ୟ୍ୟନ୍ତ କମିଛି। ଆସନ୍ତା ୨ ଦିନ ମଧ୍ୟରେ ପଶ୍ଚିମ ଓ ପୂର୍ବ ଭାରତ ରାଜ୍ୟଗୁଡ଼ିକରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।