ଶିମିଳିପାଳର ଭୟଙ୍କର ନିଆଁ ଲିଭାଇଲା ପ୍ରକୃତି । ଅଭୟାରଣ୍ୟର ପିଠାବଟା ସମେତ ୬ଟି ରେଞ୍ଜରେ ପ୍ରବଳ ବର୍ଷା ।

ଅଧିକାଂଶ ସ୍ଥାନରେ ଆୟତ୍ତ ହେଲା ଜଙ୍ଗଲର ନିଆଁ

216

କନକ ବ୍ୟୁରୋ: ସୌଭାଗ୍ୟ କୁହନ୍ତୁ ବା ସଂଯୋଗ, ଶିମିଳିପାଳରେ ଜଳୁଥିବା ନିଆଁକୁ ଶାନ୍ତ କରିବା ପାଇଁ ଯାହାର ସବୁଠୁ ଅଧିକ ଆବଶ୍ୟକ ଥିଲା, ସେହି ବର୍ଷା ଆଜି ଭୁଇଁକୁ ଛୁଇଁଛି । ପ୍ରାୟ ଦୁଇ ସପ୍ତାହ ଧରି ଯେଉଁ ନିଆଁକୁ କାବୁୁ କରିବାକୁ ବନବିଭାଗ, ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍ ଟିମ୍ ମିଳିତ ଭାବେ ନୟାନ୍ତ ହୋଇ ସାରିଥିଲେ, କେହି ମୁହୁର୍ତ୍ତର ବର୍ଷା ସବୁ କିଛି ଶାନ୍ତ କରି ଦେଇଛି ।

ପ୍ରକୃତି ହିଁ ଶିମିଳିପାଳର ନିଆଁକୁ ଲିଭାଇ ଦେଇଛି । ଶିମିଳିପାଳ ଅଭୟାରଣ୍ୟ ପୀଠାବଟା ରେଂଜ ସମେତ ନିକଟବର୍ତୀ ବନାଂଚଳର ୬ଟି ରେଞ୍ଜରେ ପ୍ରବଳ ବର୍ଷା ହୋଇଛି । କେବଳ ବର୍ଷା ହୋଇନି ଘଡ଼ଘଡ଼ି ସହ କୁଆ ପଥର ମଧ୍ୟ ମାଡ଼ ହୋଇଛି । ପୀଠାବଟା ରେଞ୍ଜର ଉତ୍ତର ଓ ଦକ୍ଷିଣ ପାଶ୍ୱର୍, ଡୁକୁଡ଼ା, ଠାକୁରମୁଣ୍ଡା, ପୋଡ଼ାଡି ଏବଂ ବାଙ୍ଗିରିପୋଷୀ ରେଞ୍ଜରେ ପ୍ରବଳ ବର୍ଷା ହୋଇଛି । ଆଉ ଏହି ବର୍ଷା ଜଳୁଥିବା ନିଆଁକୁ ସଂପୂର୍ଣ୍ଣ ଲିଭାଇ ଦେଇଥିବା ବେଳେ ବର୍ଷା ହୋଇନଥିବା ଅଂଚଳରେ ମଧ୍ୟ ନିଆଁ ଲିଭାଇବାରେ ସହାୟକ ହୋଇଛି । କାରଣ, ଥଣ୍ଡା ପବନ ସାଙ୍ଗକୁ ନିଆଁ ଲିଭାଇବା ପାଇଁ ନିଯୁକ୍ତ ଥିବା କର୍ମଚାରୀଙ୍କ କାମକୁ ଆହୁରି ସହଜ କରିଦେଇଛି ।

ଏସବୁ ଭିତରେ ପାଣିପାଗ ବିଭାଗର ପୂର୍ବାନୁମାନ ଜଳୁଥିବା ଜଙ୍ଗଲ ପାଇଁ ଏକ ଶୁଭ ସୂଚନା ଆଣିଛି । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଗଞ୍ଜାମ, ଗଜପତି, ନବରଙ୍ଗପୁର, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଆଦି ଜିଲ୍ଲାରେ ବର୍ଷା ହେବାର ସଂଭାବନା ରହିଛି । ସେହିପରି ଝାଡ଼ଖଣ୍ଡ ଉପରେ ଏକ ଟ୍ରପ୍ ଲାଇନ୍ ଥିବାରୁ ବର୍ଷା ହେବାର ସଂଭାବନା ରହିଛି । ଏପଟେ ବନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ଅଂଚଳରେ ୨୪ଟି ଗୋଟି ଫାୟର ପଏଂଟ ରିପୋର୍ଟ ହୋଇଛି ।

ନିଆଁ ଲିଭା କାର୍ଯ୍ୟରେ ୭୫୦ଟି ଟିମ୍, ଅଧିକ ୮ଶହ ନିଆଁ ଲିଭା ୱାଚ୍ରଙ୍କୁ ନିଆଁ ଲିଭାରେ ନିୟୋଜିତ କରାଯାଇଛି । ୨୫ ଜଣିଆ ୨ଟି ଓଡ୍ରାଫ୍ ଟିମ୍ ସହ ୨୦ ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ଅଛନ୍ତି । ମଙ୍ଗଳବାରର ଏହି ରିପୋର୍ଟ ଭିତରେ ଶିମିଳିପାଳରେ ପ୍ରବଳ ବର୍ଷା ହୋଇଛି । ଏପଟେ ଶିମିଳିପାଳ ନିଆଁ ଲିଭାଇବା ଦାବିରେ ଭଞ୍ଜସେନା ପକ୍ଷରୁ ମୟୁରଭଞ୍ଜ ବନ୍ଦ ପାଳନ କରାଯାଇଥିଲା । ଭଞ୍ଜସେନା ପକ୍ଷରୁ ପିକେଟିଂ କରି ବନ୍ଦ କରାଯାଇଥିଲା । ଫଳରେ ଗାଡ଼ିମଟର, ଦୋକାନ ବଜାର ସବୁ ବନ୍ଦ ରହିଥିଲା ।