ଏଥର ଦଶହରାକୁ ଧୋଇନେବ ଘୂର୍ଣ୍ଣିବଳୟ ! ୬ରୁ ବଢ଼ିବ ବର୍ଷାର ପରିମାଣ; ଏହି ସବୁ ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

3,638

କନକ ବ୍ୟୁରୋ: ଏଥର ଦଶହରାକୁ ବର୍ଷା ଧୋଇନେବ। ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠାରୁ ପାଗରେ ପରିବର୍ତ୍ତନ ଆସିବ। ୬ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ। ୮ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

କୁହାଯାଇଛି ଯେ ୫ରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ। ବିଶେଷକରି ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଗଞ୍ଜାମ, ଖୋର୍ଧା, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ପ୍ରଭାବ ଅଧିକ ରହିବ। ୬ ତାରିଖରେ ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼, ମୟୂରଭଞ୍ଜ, ଭଦ୍ରକ, ଢେଙ୍କାନାଳ ଓ ଯାଜପୁର, ୭ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ପୁରୀ, ଖୋର୍ଧା, ମୟୂରଭଞ୍ଜ ଓ ବାଲେଶ୍ବରରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖଠାରୁ ବର୍ଷା ବଢ଼ିବ। ମୟୂରଭଞ୍ଜ ସମେତ କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ପୂର୍ବ ଓ ଉତ୍ତରପୂର୍ବ ଭାରତରେ ବର୍ଷା ଲାଗି ରହିବ। ଏହି ସମୟ ମଧ୍ୟରେ ପଞ୍ଜାବ, ହରିୟାନା, ରାଜସ୍ଥାନ, ଗୁଜୁରାଟ ଓ ମଧ୍ୟପ୍ରଦେଶରୁ ମୌସୁମୀ ଧୀରେ ଧୀରେ ପ୍ରତ୍ୟାବର୍ତନ କରିବ। ଦେଶର ଅନ୍ୟ ସ୍ଥାନଗୁଡ଼ିକରେ ପାଗ ଶୁଖିଲା ରହିବ। ସେପ୍ଟେମ୍ବର ତୃତୀୟ ସପ୍ତାହ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି।