ଆଜିଠାରୁ ବର୍ଷା ପରିମାଣ ବଢ଼ିବ : ସାରା ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

35

କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଶୁକ୍ରବାରଠାରୁ ବର୍ଷା ପରିମାଣ ବଢ଼ିବ । ସାରା ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ତାହାକୁ ଦୃଷ୍ଟିରେ ରଖି ୨୧ ତାରିଖରେ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ମତ୍ସ୍ୟଜୀବୀମାନେ ୨୨ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ୧୯ ତାରିଖରେ ଯେଉଁ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ର ଭିତରକୁ ଯାଇଥିଲେ ସେମାନେ ରାତି ସୁଦ୍ଧା କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ଜୁଲାଇ ୨୨ ରାତି ଯାଏ ଲଘୁଚାପର ପ୍ରଭାବ ଓଡ଼ିଶା ଉପକୂଳରେ ରହିବ । ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ହୋଇପାରେ । ତେଣୁ ମତ୍ସ୍ୟଜୀବୀମାନେ ଏହି ସମୟ ମଧ୍ୟରେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ବିଭାଗ ଆହୁରି କହିଛି ଯେ ଲଗାତାର ୩ ଦିନ ପାଇଁ ବର୍ଷା ଲାଗିରହିବ । ୨୦ ତାରିଖଠାରୁ ଉପକୂଳ ଓଡ଼ିଶା ଯଥା ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ଭଦ୍ରକ ଓ ଗଞ୍ଜାମରେ ପ୍ରବଳ ବର୍ଷା ହେବ । ୨୧ ଓ ୨୨ ତାରିଖରେ ଅର୍ଦ୍ଧାଧିକ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ୨୩ ତାରିଖରେ ବି ମୟୂରଭଞ୍ଜ ସମେତ ବାଲେଶ୍ୱର, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବିଶିଷ୍ଟ ପାଣିପାଗ ବିଜ୍ଞାନୀ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୩ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହେବ । ୨୧ ତାରିଖରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୯ ତାରିଖ ସକାଳେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଯାଇଛି । ୨୦ ତାରିଖ ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହୋଇ ୨୧ ତାରିଖ ସକାଳ ସମୟରେ ତାହା ୱେଲ୍‌ମାର୍କ ଲୋ ପ୍ରେସର ଓ ସନ୍ଧ୍ୟାରେ ଅବପାତରେ ପରିଣତ ହେବ । ୨୧ ତାରିଖ ଦିନ ଏହା ବାଂଲାଦେଶ ଉପକୂଳକୁ ଲାଗିଥିବା ଅଞ୍ଚଳରେ ଅବସ୍ଥିତ ରହିବ । ୨୨ ତାରିଖରେ ପଶ୍ଚିମବଙ୍ଗ ଓ ତା’ପରେ ପଶ୍ଚିମ ଆଡ଼କୁ ଗତି କରି ଉତ୍ତର ଛତିଶଗଡ଼ରେ ଅବସ୍ଥିତ ରହିବ ।
source : For God’s Glory Alone Ministries

୨୦ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବର୍ଷା ରହିବ । କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଖୋର୍ଧା, ପୁରୀ ଜିଲ୍ଲାର ଅଧିକାଂଶ ସ୍ଥାନରେ ଭାରି ବର୍ଷା ହେବ । ଉକ୍ତ ଜିଲ୍ଲାଗୁଡ଼ିକର ସମୁଦ୍ର ସଂଲଗ୍ନ ଅଞ୍ଚଳରେ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ୨୧ ତାରିଖରେ ସାରା ରାଜ୍ୟରେ ବର୍ଷାର ପ୍ରକୋପ ବଢ଼ିବ । ପାରାଦୀପଠାରୁ ସମ୍ବଲପୁର ଏବଂ ଗୋପାଳପୁରଠାରୁ ଭବାନୀପାଟଣା ମଧ୍ୟସ୍ତ ଅଞ୍ଚଳରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମହାନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଭାରି ବର୍ଷା ହେବ । ୨୨ ତାରିଖ ସନ୍ଧ୍ୟା ପରେ ଲଘୁଚାପର ପଶ୍ଚିମାଗତି ଯୋଗୁଁ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରକୋପ କମିଯିବ । ତେବେ ଉତ୍ତର ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ ଧରଣ ବର୍ଷା ହୋଇପାରେ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିଶେଷକରି ସୀମାନ୍ତବର୍ତୀ ଅଞ୍ଚଳରେ ୨୩ ତାରିଖ ଦିନ ହାଲୁକାରୁ ସ୍ୱଳ୍ପ ବର୍ଷା ହେବ ବୋଲି ସେ କହିଛନ୍ତି ।

ଲଘୁଚାପ ଜନିତ ବର୍ଷା ଦ୍ୱାରା ମହାନଦୀ ସମେତ ବୈତରଣୀ, ବ୍ରାହ୍ମଣୀ, ବଂଶଧାରା, ଋଷିକୂଲ୍ୟା, ତେଲ ନଦୀର ଜଳସ୍ତର ବୃଦ୍ଧି ପାଇବ । ୨୧ ତାରିଖ ପାଇଁ ପାଣିପାଗ ବିଭାଗ ହାଇଆଲର୍ଟ ଜାରି କରିଥିବାରୁ ଏବେଠାରୁ ବନ୍ୟା ଆଶଙ୍କା ପ୍ରକାଶ ପାଇଛି। ତାହାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ କୁହାଯାଇଛି ।