ଅବପାତ ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ! ଆସନ୍ତା ୩୬ ଘଂଟା ମଧ୍ୟରେ ଉପକୂଳ ଅଂଚଳରେ ପ୍ରବଳ ବର୍ଷା ସମ୍ଭାବନା

220

କନକ ବ୍ୟୁରୋ : ପାଖାପାଖି ଏକ ମାସ ତଳେ ବିଦାୟ ନେଇଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସାରା ଓଡ଼ିଶାର ପାଗ ଶୁଖିଲା ହୋଇପଡ଼ିଥିଲା । କିନ୍ତୁ ଗତକାଲିଠାରୁ ଆରମ୍ଭ ହୋଇଥିବା ଅଦିନିଆ ବର୍ଷାରେ ରାଜ୍ୟର ଅଧିକାଂଶ ସ୍ଥାନ ଭିଜିଛି । ଦକ୍ଷିଣ ପରେ ଉପକୂଳ, ଉତ୍ତର ଓଡ଼ିଶା ଏବଂ ଅଭ୍ୟନ୍ତରର ଅନେକ ସ୍ଥାନରେ ବର୍ଷା ହୋଇଛି । ଚକଡ଼ା ପୋକ ଆକ୍ରମଣରୁ ଯେଉଁ ଚାଷୀମାନେ ବର୍ତି ଯାଇଥିଲେ, ସେମାନଙ୍କ ଉପରେ ଲଗାଣ ବର୍ଷା ଦାଉ ସାଧିଛି। ବିଶେଷ କରି ଦକ୍ଷିଣ, ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ଲଗାଣ ବର୍ଷା ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି ସକାଳେ ସ୍ପଷ୍ଟଚିହ୍ନିତ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ବର୍ତମାନ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଏବଂ ଆଖପାଖ ଆନ୍ଧ୍ର ପ୍ରଦେଶ ଉପକୂଳରେ ରହିଛି । ଗୋପାଳପୁରରୁ ପ୍ରାୟ ୩୮୦ କି.ମି. ଦୂରରେ ଥାଇ ଏହା ଘଣ୍ଟାକୁ ପ୍ରାୟ ୧୪ କି.ମି. ବେଗରେ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେଉଛି । ଆଗାମୀ ୨୪ ଘଣ୍ଟା ଭିତରେ ଏହା ଦୁର୍ବଳ ହେବ ଓ ଗଞ୍ଜାମ ଉପକୂଳ ଦେଇ ସ୍ଥଳଭାଗକୁ ଛୁଇଁପାରେ । ଏହାର ପ୍ରଭାବରେ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଉପକୂଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ବିଶେଷ କରି ଆସନ୍ତାକାଲି ପୁରୀ, ନୟାଗଡ଼, ଜଗତ୍‌ସିଂହପୁର, କଟକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଜିଲ୍ଲା ଏବଂ ଏହାର ଆଖପାଖ କିଛି ସ୍ଥାନରେ ବି ବର୍ଷିବ ।

ଏହି ସମୟରେ ପବନର ବେଗ ଘଣ୍ଟାକୁ ୪୦ରୁ ୫୦ କି.ମି. ଏବଂ ସର୍ବାଧିକ ବେଗ ୬୦ କି.ମି. ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଅଧିକ ବେଗରେ ପବନ ବହୁଥିବାରୁ ଗତକାଲି ଭଳି ଆଜି ବି ସମୁଦ୍ର ଅଶାନ୍ତ ରହିଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୭ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଅବଶ୍ୟ ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତୀ ପୁରୀରେ ସର୍ବାଧିକ ୩୧.୭ ମିଲିମିଟର ବର୍ଷା ହୋଇଥିବା ବେଳେ ଆଜିrain ସନ୍ଧ୍ୟା ସୁଦ୍ଧା ହୋଇଛି ୪୨ ମି.ମି. । ସେହିପରି ଗତ ୨୪ ଘଣ୍ଟାରେ ଗୋପାଳପୁରରେ ୨୦.୬ ମି.ମି., ପାରାଦୀପରେ ୧୧ ମି.ମି., କଟକରେ ୮ ମି.ମି., ଭୁବନେଶ୍ୱରରେ ୭.୧ ମି.ମି. ବର୍ଷା ହୋଇଥିଲା । ଆଜି ସନ୍ଧ୍ୟା ସୁଦ୍ଧା ପୁରୀକୁ ଛାଡ଼ିଦେଲେ, ଚାନ୍ଦବାଲିରେ ୩୪ ମି.ମି., ପାରାଦୀପରେ ୩୩ ମି.ମି., ଗୋପାଳପୁରରେ ୨୭ ମି.ମି., ଭୁବନେଶ୍ୱରରେ ୨୪.୪ ମି.ମି., କଟକରେ ୨୧ ମି.ମି., ଦାରିଙ୍ଗିବାଡ଼ିରେ ୧୫ ମି.ମି., ଢେଙ୍କାନାଳରେ ୧୩ ମି.ମି., ଫୁଲବାଣୀରେ ୯ ମି.ମି. ବର୍ଷା ହୋଇଛି ।

ଅଦିନିଆ ବର୍ଷା ଯୋଗୁଁ ଆଜିର ପାଗ ପୂରା ବଦଳିି ଯାଇଛି । ଉପକୂଳର ସମସ୍ତ ସ୍ଥାନରେ ସର୍ବୋଚ୍ଚ ଅର୍ଥାତ୍‌ ଦିନର ତାପମାତ୍ରା ୨୨°ରୁ ୨୪° ମଧ୍ୟରେ ରହିଛି । ସାରା ରାଜ୍ୟରେ କେବଳ ହୀରାକୁଦ, ମାଲକାନଗିରିର ସର୍ବୋଚ୍ଚ ତାପମାତ୍ରା ୩୦° ଉପରେ ରହିଛି । ଆଜି ସୁନ୍ଦରଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୫° ସେଲ୍‌ସିୟସ ରେକର୍ଡ ହୋଇଛି । ଗତକାଲି ୧୪ଟି ସ୍ଥାନରେ ପାରଦ ୨୦° ତଳେ ଥିବା ବେଳେ ଆଜି ୧୩ଟି ସ୍ଥାନରେ ଏହା ରହିଛି । ଫଳରେ ଦିନ ଅପେକ୍ଷାକୃତ ଥଣ୍ଡା ଅନୁଭୂତ ହେଉଛି । ରାତିର ଥଣ୍ଡା କମିଛି ।