ଲେଉଟିବ କାଳବୈଶାଖୀ ବର୍ଷା ! କେତେକ ସ୍ଥାନରେ ବଜ୍ରପାତର ଆଶଙ୍କା

170

କନକ ବ୍ୟୁରୋ : ପୁଣି ଲେଉଟିବ କାଳବୈଶାଖୀ ବର୍ଷା । ଆସନ୍ତା ୪ ଓ ୫ ତାରିଖରେ ଉତ୍ତର ଓଡ଼ିଶା ସମେତ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ । କେତେକ ସ୍ଥାନରେ ବଜ୍ରପାତର ବି ଆଶଙ୍କା ‌ରହିଛି । ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଶନିବାର ସକାଳ ୮ଟା ପର୍ଯ୍ୟନ୍ତ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ଲାଗିରହିବ । ଏହାପରେ ପାଗ ଶୁଖିଲା ରହିବ । ହେଲେ ୩ ତାରିଖ ଅପରାହ୍‌ଣଠାରୁ ପୁଣିଥରେ ପାଗ ବିଗିଡ଼ିବ।

ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି । ଏହାପରେ ଉତ୍ତର, ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ୬ ତାରିଖ ପର୍ଯ୍ୟନ୍ତ ଲାଗିରହିବ । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲକା ବର୍ଷା ହୋଇଛି । ତେଣୁ ସବୁଠି ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି । ଅଧିକାଂଶ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ତଳକୁ ଖସି ଆସିଥିବା ଦେଖିବାକୁ ମିଳିଛି । ଏପରିକି ଭୁବନେଶ୍ବର ତାପମାତ୍ରା ୨୯.୭ ଡିଗ୍ରିକୁ ଖସିଛି ।