କାଲୁଆ ପବନ ସାଙ୍ଗକୁ ବର୍ଷା ମାଡ଼ରେ ରାଜଧାନୀବାସୀ ଅସ୍ତବ୍ୟସ୍ତ !

33

କନକ ବ୍ୟୁରୋ : ଗତକାଲି ସକାଳୁ ରାଜଧାନୀରେ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଥିବାବେଳେ ଦିନତମାମ୍ ଝିପିଝିପି ବର୍ଷା ଲାଗି ରହିଥିଲା । କାଲୁଆ ପବନ ସାଙ୍ଗକୁ ବର୍ଷା ମାଡ଼ ରାଜଧାନୀବାସୀଙ୍କୁ ପୂରା ଅସ୍ତବ୍ୟସ୍ତ କରିଦେଇଛି । ଗତ କିଛିଦିନ ହେଲା ରାଜଧାନୀରେ ପ୍ରବଳ ଶୀତ ଅନୁଭୂତ ହେଉଥିବାବେଳେ ଲଘୁଚାପ ବର୍ଷା ଶୀତର ପ୍ରକୋପ ବଢ଼ାଇ ଦେଇଛି ।

Low-Pressure-Rainଗତକାଲି ରାଜଧାନୀରେ ଦିନରେ ସର୍ବୋଚ୍ଚ ତାପମାତ୍ରା ୨୦.୬ଡିଗ୍ରି ଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୯.୨ଡିଗ୍ରି ରହିଛି । ଯଦିଓ ସର୍ବନିମ୍ନ ତାପମାତ୍ରା ଗୁରୁବାର ତୁଳନାରେ ୬.୨ ଡିଗ୍ରି ବଢ଼ିଥିଲା କିନ୍ତୁ କାଲୁଆ ପବନ ଜନିତ ଶୀତ ରାଜଧାନୀବାସୀଙ୍କୁ ପୂରା କଲବଲ କରିପକାଇଥିଲା । ଦିନତମାମ୍ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ରାତି ୧୧ଟା ସୁଦ୍ଧା ପ୍ରାୟ ୧୫ମିଲିମିଟର ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଦିନତମାମ୍ ବର୍ଷା ଲାଗି ରହିଥିବାରୁ ରାଜଧାନୀବାସୀଙ୍କ ପାଇଁ ଘରୁ ବାହାରିବା ମୁସ୍କିଲ ହୋଇଯାଇଥିଲା ।

ଅଦିନିଆ ବର୍ଷାରେ ଲୋକଙ୍କର ଭିଜିବାକୁ ଇଚ୍ଛା ଥିଲେ ହେଁ ଥଣ୍ଡା ପବନ ଓ ଶୀତ ଏଥିରେ ବାଧକ ସାଜିଥିଲା। ଏପରିକି କେତେକ ଝିପିଝିପି ବର୍ଷାରେ ଭିଜିଭିଜି ନିଜ କର୍ମକ୍ଷେତ୍ରକୁ ଯାଉଥିବା ଦେଖିବାକୁ ମିଳିଥିଲା । ଦିନତମାମ୍ ଝିପିଝିପି ବର୍ଷା ଲାଗି ରହିଥିବାରୁ ରାଜଧାନୀର କୌଣସି ସ୍ଥାନରେ ବି ପାଣି ଜମିଥିବା ଅଭିଯୋଗ ହୋଇନି । ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆହୁରି ଦୁଇ ଦିନ ବର୍ଷା ଲାଗି ରହିବ। ବର୍ଷା ସହ ୪୦ରୁ ୫୦କିମି ବେଗରେ ପବନ ବହିବାର ଥିବାରୁ ସର୍ବନିମ୍ନ ତାପମାତ୍ରା ଗତ କିଛି ଦିନ ତୁଳନାରେ ଅଧିକ ରହିଲେ ବି ଥଣ୍ଡା ଅନୁଭୂତ ହେବ । ଅପରପକ୍ଷେ ବର୍ଷା ଯୋଗୁଁ ରାଜଧାନୀ ଉପକଣ୍ଠରେ ଚାଷୀମାନେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । କ୍ଷେତରୁ ଧାନ କଟା ହୋଇ ନଥିବାରୁ ଧାନ ନଷ୍ଟ ହେବା ସହ ଗଜା ହେବାର ସମ୍ଭାବନା ସୃଷ୍ଟି ହୋଇଛି । କେତେକ ଶୀତ ଦିନିଆ ଫସଲରେ ପୋକ ଲାଗିବାର ଆଶଙ୍କାକୁ ଏଡ଼ାଇ ହେବନି ବୋଲି କୃଷି ବିଶେଷଜ୍ଞମାନେ କହିଛନ୍ତି ।