କନକ ବ୍ୟୁରୋ : ଗରିବ ଲୋକଙ୍କ ପାଇଁ ଖୁସି ଖବର ଆଣିଛି ଭାରତୀୟ ରେଳବାଇ । ଗରିବ ଲୋକଙ୍କୁ ରେଳ ଯାତ୍ରାରେ ସୁବିଧା ଯୋଗାଇ ଦେବା ଲାଗି ବଡ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ । ଏଣିକି ସସ୍ତାରେ ଯାତ୍ରା କରିପାରିବେ ଯାତ୍ରୀ । ଶ୍ରମିକ ଏବଂ ଗରିବ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ ।

Advertisment

ବସ୍ ହେଉ କି ଟ୍ରେନ୍, ଜଣେ ସାଧାରଣ ଗରିବ ଲୋକ ବା ଶ୍ରମିକଟିଏ ଯାତ୍ରା କଲାବେଳେ ତାଙ୍କର ପାଖାପାଖି ଅଧା ପାରିଶ୍ରମିକ ବସ୍ ଓ ଟ୍ରେନ୍ ଭଡାରେ ହିଁ ଖର୍ଚ୍ଚ ହୋଇଯାଇଥାଏ । ପ୍ରତିଦିନ ମୁଲ ଲାଗି ଯଦି ଜଣେ ବ୍ୟକ୍ତି ୫୦୦ ଟଙ୍କା ରୋଜଗାର କରୁଛି ତେବେ ବସ୍ ଏବଂ ଟ୍ରେନ୍ ଭଡାରେ ୨୦୦ ଟଙ୍କା ଚାଲିଯାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଗରିବ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଟ୍ରେନ୍ ଯାତ୍ରାରେ ସୁବିଧା ଯୋଗାଇଦେବା ନେଇ ବ୍ୟବସ୍ଥା କରୁଛି ।

ଭାରତୀୟ ରେଳବାଇ ପକ୍ଷରୁ ଖୁବଶୀଘ୍ର ଟ୍ରାକକୁ ଓହ୍ଲାଇବ ‘ଜନତା ଏକ୍ସପ୍ରେସ୍’ । ଏହି ଟ୍ରେନରେ ଅତି ସସ୍ତାରେ ଯାତ୍ରା କରିପାରିବେ ଲୋକେ । ‘ଜନତା ଏକ୍ସପ୍ରେସ୍’ କେବଳ ଶ୍ରମିକଙ୍କ ପାଇଁ ହିଁ ଚାଲିବ । ଏହି ଟ୍ରେନର ଚଳାଚଳ ସେହି ରୁଟ୍ରେ ହେବ ଯେଉଁ ରୁଟ୍ରେ ଶ୍ରମିକମାନେ ଯାତାୟତ କରିଥାନ୍ତି । ଏହି ଟ୍ରେନରେ ୨୨ରୁ ୨୬ଟି କୋଚ୍ ରହିବ । ତେବେ ଆସନ୍ତୁ ଜାଣିବା କେବେଠୁ ଏହି ସେବା ଆରମ୍ଭ ହେବାକୁ ଯାଉଛି...

୨୦୨୪ରୁ ଏହି ରେଳ ସେବା ଆରମ୍ଭ ହେବାକୁ ଯାଉଛି । ଏହି ଟ୍ରେନରେ କେବଳ ସ୍ଲିପର ଏବଂ ଜେନ୍ରାଲ୍ କୋଚ୍ ହିଁ ରହିବ । କୁହାଯାଉଛି ସାଧାରଣ ଟ୍ରେନ୍ଠାରୁ ଏହି ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କୁ ଖୁବ୍ କମ ଭଡା ଦେବାକୁ ପଡିବ । ରେଳବାଇର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଏହି ଟ୍ରେନ୍ ଉତ୍ତରପ୍ରଦେଶ, ବିହାର୍, ଝାଡଖଣ୍ଡ, ଛତିଶଗଡ, ଓଡିଶା, ପଶ୍ଚିମବଙ୍ଗ, ପଞ୍ଜାବ୍, ଆସାମ୍, ଗୁଜୁରାଟ୍ ଓ ଦିଲ୍ଲୀ ଭଳି ରାଜ୍ୟରେ ଏହି ସେବା ଯୋଗାଇ ଦିଆଯିବ । ଏହି ସବୁ ରାଜ୍ୟରୁ ଅନେକ ଲୋକ କାମ କରିବା ପାଇଁ ବାହାର ରାଜ୍ୟକୁ ଯାଇଥାନ୍ତି ଏବଂ କାମ ସାରି ଘରକୁ ପେରିଥାନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଯେଉଁ ସହରକୁ ପ୍ରବାସୀ ଶ୍ରମିକଙ୍କ ଯାତାୟତ ଲାଗି ରହିଥାଏ ସେହି ରୁଟ୍ ଗୁଡିକରେ ଟ୍ରେନ୍ ଚଳାଚଳ କରିବ । ଯାହା ଦ୍ୱାରା ଶ୍ରମିକଙ୍କୁ ଯାତାୟତରେ କୌଣସି ସମସ୍ୟା ଭୋଗିବାକୁ ପଡବ ନାହିଁ ।

ତେବେ ୨୦୨୪ରୁ ଆରମ୍ଭ ହେବାକୁ ଥିବା ଏହି ରେଳ ସେବା ଆରମ୍ଭ ହେଲେ, ଗରିବ ଶ୍ରମିକଙ୍କ ଯାତାୟତ ସୁବିଧା ହେବା ସହ ପଇସା ମଧ୍ୟ ବଞ୍ଚିବ । ଆଉ ସାଧାରଣ ଗରିବ ଲୋକଟି ତାର ଭବିଷ୍ୟତ ପାଇଁ କିଛି ଟଙ୍କା ସଞ୍ଚୟ କରିପାରିବ ।