ରେଲୱେ ପରୀକ୍ଷାରେ ଅନିୟମିତତା ନେଇ ଉଗ୍ର ହେଉଛି ଛାତ୍ର ଆନ୍ଦୋଳନ, ରେଳ ବଗିରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ

214

କନକ ବ୍ୟୁରୋ : ରେଲୱେ ଆରଆରବି ଏନଟିପିସି ପରୀକ୍ଷା ଫଳରେ ଅନିୟମିତତା ଦର୍ଶାଇ ଦେଶରେ ଛାତ୍ର ଆନ୍ଦୋଳନ ତେଜିବାରେ ଲାଗିଛି । ଉତ୍ତର ପ୍ରଦେଶ ପରେ ଏବେ ବିହାରରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ ଉଗରୂପ ଧାରଣ କରିଛନ୍ତି । ଏହି କ୍ରମରେ ବୁଧବାରଦିନ ହଜାର ହଜାର ସଂଖ୍ୟାର ଛାତ୍ର ଗୟା ଷ୍ଟେସନ ଠାରେ ପହଂଚି ନାରାବାଜି କରିବା ସହ ପୋଲିସ ଉପରକୁ ଟେକା ପଥର ମାଡ କରିଛନ୍ତି । ଏହାସହ ରେଳ ଷ୍ଟେସନର ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିବା ସହ ଗୋଟିଏ ଟ୍ରେନରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି ।

ଗୟା ଷ୍ଟେସନରେ ଆନ୍ଦୋଳନ କରୁଥିବା ଛାତ୍ରମାନେ ପ୍ରଥମେ କରିମଗଞ୍ଜ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନକୁ ଟାର୍ଗେଟ କରିଥିଲେ । ଟେନଟିରେ ନିଆଁ ଲଗାଇଦେବା ଫଳରେ ଆଖିପିଛୁଳାକେ ଟ୍ରେନର ଅନେକ ବଗି ଜଳି ଯାଇଥିବା ଦେଖିବାକୁ ମିଳିଛି । ଅଣାୟତ ହେଉଥିବା ପରିସ୍ଥିତିକୁ ଦେଖି ଜିଲ୍ଲା ପୋଲିସ ଓ ରେଲୱେ ପୋଲିସ ପକ୍ଷରୁ ଲୁହବୋହା ଗ୍ୟାସ ଛାଡିବା ସହ ଛାତ୍ର ଛାତ୍ରୀମାନଙ୍କୁ ଘଉଡାଇବାକୁ ଲାଠିଚାର୍ଜ କରାଯାଇଛି ।

 

କହିରଖୁ କି ଏହାପୂର୍ବରୁ ମଙ୍ଗଳବାର ଦିନ ଆରା, ନାବାଦା, ମୋତିହାରୀ, ସୀତାମାଢି ସହିତ ବିହାରର ବିଭିନ୍ନ ସ୍ଥାନରେ ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଭାରତୀୟ ରେଳ ବିଭାଗର ଆରଆରବି ଏନଟିପିସି ପରୀକ୍ଷାରେ ଅନିୟମିତତା ହୋଇଥିବା ଦର୍ଶାଇ ଛାତ୍ରମାନେ ଏଭଳି ବିକ୍ଷୋଭ କରୁଥିବା ଜଣାପଡିଛି । ଏନେଇ ରେଳ ମନ୍ତ୍ରଣାଳୟ ଅସନ୍ତୋଷ ଜାହିର କରିବା ସହ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ବାତିଲ କରିବା ସହ ଛାତ୍ରମାନଙ୍କୁ ଚେତାବନୀ ଦେଇଛି । ରେଳମନ୍ତ୍ରଣାଳୟ ଏକ ଇ-ମେଲ ଜାରି କରି କହିଛି ଯେ ଯେଉଁ ଛାତ୍ର ଛାତ୍ରୀମାନଙ୍କର ସମସ୍ୟା ରହିଛି ଓ ଏହାର ସମାଧାନର ବାଟ କଣ ହେବା ଉଚିତ ସେମାନେ ଏହି ଇ-ମେଲ ସହାୟତାରେ ଜଣାଇପାରିବେ ।