ଲୁଟେରା ବାବାଙ୍କ ସୁନାବେଶ ଦେଖି ସମସ୍ତେ ତାଜୁବ । ଯାତ୍ରୀଙ୍କୁ ଲୁଟିବା ବେଳେ ଧରିଲା ରେଳବାଇ ପୋଲିସ, ୪ ମୋବାଇଲ୍, ସ୍କୁଟି ସହ ନକଲି ସୁନା ଗହଣା ଜବତ ।

222

କନକ ବ୍ୟୁରୋ : ଭୁବନେଶ୍ୱର ରେଳବାଇ ପୋଲିସ ଆଜି ଜଣେ ବାବାଙ୍କୁ ଗିରଫ କରିଛି । ଆଉ ବାବାଙ୍କ ବେଶଭୂଷା ଦେଖି ତାଜୁବ ହୋଇଯାଇଛି ପୋଲିସ । ଭୁବନେଶ୍ୱର ରେଳ ଷ୍ଟେସନ ଅଂଚଳରେ ଯାତ୍ରୀଙ୍କୁ ଲୁଟ୍ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଏହି ଠକ ହେଲେ ନକଲି ଗୋଲଡେନ୍ ବାବା । ପଢନ୍ତୁ ଠକ ଚାରଶୋ ବିସଙ୍କ ପୁରା କାରନାମା ।

ନବକିଶୋର ନାୟକ । ଓରଫ ଗୋଲଡେନ୍ ବାବା । ଦେହରେ ମାଳ ମାଳ ଅଳଙ୍କାର । ହାତରେ ମୋଟା ବ୍ରେସଲେଟ୍ । ଆଉ ଆଙ୍ଗୁଠିରେ ଚକ୍ ଚକ୍ କରୁଛି ମୁଦି । ଇଏ ହେଉଛନ୍ତି ବାବା ଗୋଲଡେନ୍ । ଭରି ଭରି ସୁନା ଅଳଙ୍କାରରେ ଆଭୁଷିତ ହୋଇଛନ୍ତି ବାବା । ହେଲେ ବାବାଙ୍କ ଏହି ସୁନାବେଶ ପଛର ସତ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାବାଙ୍କ ବେକରେ ଝୁଲୁଥିବା ସବୁ ଅଳଙ୍କାର ନକଲି । ଆଙ୍ଗୁଠିର ମୁଦି ବି ନକଲି ଆଉ ହାତର ବ୍ରେସଲେଟ୍ ବି ।

ନକଲି ବାବା । ସୁନା ବି ନକଲି । ଭୁବନେଶ୍ୱର ରେଳବାଇ ପୋଲିସ ହାତରେ ଧରାପଡିଥିବା ଏହି ବାବା ହେଲେ ନବ କିଶୋର ନାୟକ । ଘର-ପିପିଲିରେ । ଦୋକାନରୁ ସୁନାଭଳି ଦିଶୁଥିବା ଇମିଟେସନ୍ ଜୁଏଲାରୀ କିଣି, ଭଲ ସାର୍ଟ-ପ୍ୟାଂଟ୍ ପିନ୍ଧି ବାବା ଷ୍ଟେସନ ଆଖପାଖରେ ବୁଲନ୍ତି । ଟାର୍ଗେଟରେ ଥାଆନ୍ତି ବାହାର ରାଜ୍ୟର ଯାତ୍ରୀ । ବଡ ବଡ କଥା କହି, ଜାଲରେ ଫସାନ୍ତି ଆଉ ପରେ ତାଙ୍କ ଠାରୁ ଅସଲି ସୁନା ଅଳଙ୍କାର ଲୁଟି ନିଅନ୍ତି ।

ସିସିଟିଭିରେ ଧରାପଡିଲା ଚୋରି । ପୋଲିସ କବଜାରେ ନକଲି ବାବା । ଶନିବାର ଭୁବନେଶ୍ୱର ରେଳ ଷ୍ଟେସନର ୬ ନମ୍ବର ପ୍ଲାଟଫର୍ମରେ ବିହାରରୁ ଆସିଥିବା ଜଣେ ଯାତ୍ରୀଙ୍କଠାରୁ ବାବା ଲୁଟିଥିଲେ । ଏନେଇ ଜିଆରପି ଥାନାରେ ଅଭିଯୋଗ ହେବା ପରେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ନବକିଶୋରଙ୍କୁ ଗିରଫ କରିଛି । ଆଉ ତାପରେ ଜଣାପଡିଛି ସୁନାଭଳି ଚକ୍ ଚକ୍ କରୁଥିବା ବାବାଙ୍କ ସବୁ ଅଳଙ୍କାର ନକଲି ।