କନକ ବ୍ୟୁରୋ : ମୋଦୀ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଆଜି ଲୋକସଭାରେ ଭାଷଣ ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ପୁଣିଥରେ ଲୋକସଭା ସଦସ୍ୟତା ଫେରାଇଥିବାରୁ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇ ରାହୁଲ କହିଛନ୍ତି, ଗତଥର ଭାଷଣ ସମୟରେ ଅଦାନୀଙ୍କ ଉପରେ ଏତେ ଫୋକସ କରିଥିଲି ଯେ, ବିଜେପି ନେତାଙ୍କୁ ଭାରି କଷ୍ଟ ହେଲା । କିନ୍ତୁ ମୁଁ କେବଳ ସତ ହିଁ କହିଥିଲି । କିନ୍ତୁ ଆଜି ବିଜେପିର ବନ୍ଧୁଙ୍କୁ ଡରିବାର ଆବଶ୍ୟକତା ନାହିଁ କାରଣ ମୁଁ ଅଦାନୀଙ୍କ ଉପରେ ସେଭଳି କୌଣସି ଭାଷଣ ରଖିବିନି । ତେଣୁ ଆପଣ ମାନେ ଶାନ୍ତ ରହିପାରନ୍ତି । ଆଜି ମୁଁ ହୃଦୟରୁ କିଛି କହିବାକୁ ଚାହୁଁଛି ।

Advertisment

ରାହୁଲ କହିଛନ୍ତି, ମୁଁ ଆଜି ବିଜେପି ନେତାଙ୍କ ଉପରେ ସେତେଟା ଆକ୍ରମଣ କରିବିନି । ପଦେ ଦି ପଦ କଥା କହିବି, କିନ୍ତୁ ବେଶି ସମସ୍ୟାରେ ପକାଇବିନି । ଗତବର୍ଷ ୧୩୦ ଦିନ ପାଇଁ ମୁଁ ଭାରତର ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇଥିଲି । ଏଯାଏଁ ଭାରତ ଯୋଡ ଯାତ୍ରା ଶେଷ ହୋଇନାହିଁ । ଏହି ସମୟରେ ଅନେକ ଲୋକ ପଚାରିଥିଲେ ଯେ, ରାହୁଲ ତୁମେ କାହିଁକି ଚାଲୁଛ? କଣ ତୁମର ଲକ୍ଷ୍ୟ, କାହିଁକି କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଯାଉଛ । ପ୍ରଥମରୁ ଏହି ପ୍ରଶ୍ନର ଉତ୍ତର ମୋ ପାଖରେ ନଥିଲା । ପ୍ରଥମରୁ ମୋତେ ମଧ୍ୟ ଜଣାନଥିଲା ଯେ, ଏହି ଯାତ୍ରା କାହିଁକି କରୁଛି । କନ୍ୟାକୁମାରୀରୁ  ଯେତେବେଳେ ଯାତ୍ରା ଆରମ୍ଭ ହେଲା ସେତେବେଳେ ଖାଲି ଲୋକଙ୍କ ପାଖକୁ ଯିବାକୁ ଚାହୁଁଥିଲି । କିନ୍ତୁ କିଛି ଦିନ ମଧ୍ୟରେ ଏହା ପଛର କାରଣ ଖୋଜି ପାଇଥିଲି । ଯେଉଁଥିପାଇଁ ମୁଁ ମରିବାକୁ ପ୍ରସ୍ତୁତ, ଯେଉଁଥିପାଇଁ ମୁଁ ମୋଦୀଙ୍କ ଜେଲକୁ ଯିବାକୁ ପ୍ରସ୍ତୁତ, ଯେଉଁଥିପାଇଁ ମୁଁ ୧୦ ବର୍ଷ ପ୍ରତିଦିନ ଗାଳି ଖାଇଛି । ତାହାକୁ ମୁଁ ବୁଝିବାକୁ ଚେଷ୍ଟା କରିଥିଲି ।

ଭାରତ ଯୋଡ ଯାତ୍ରା ଆରମ୍ଭ ପୂର୍ବରୁ ମୁଁ ଦୈନିକ ୮ରୁ ୧୦ କିଲୋମିଟର ଦୌଡୁଥିଲି, ତେଣୁ ଦୈନିକ ୨୫ କିଲୋମିଟର ଚାଲିବା ମୋ ପାଇଁ ଏତେ କଷ୍ଟ ନଥିଲା ବୋଲି ଭାବୁଥିଲି । କିନ୍ତୁ ଏହା ମୋର ଅହଙ୍କାର ଥିଲା । କିନ୍ତୁ ଭାରତ ଅହଙ୍କାରକୁ ଗୋଟିଏ ସେକେଣ୍ଡରେ ନଷ୍ଟ କରିଦିଏ । ୨ରୁ ୩ ଦିନ ଚାଲିବା ପରେ ଆଣ୍ଠୁରେ କଷ୍ଟ ଅନୁଭବ ହେଲା । ଆଉ ଏହା ହିଁ ମୋର ଅହଙ୍କାରକୁ ଭାଙ୍ଗିଦେଲା । ଯିଏ ଭାରତକୁ ଅହଙ୍କାର ଦୃଷ୍ଟିରେ ଦେଖିବାକୁ ବାହାରିଥିଲା ତାହାର ଅହଙ୍କାର ସେହିଠାରେ ହିଁ ଭାଙ୍ଗି ଯାଇଥିଲା । ଚାଲିବାକୁ କଷ୍ଟ ହେଉଥିଲା କିନ୍ତୁ ଯାତ୍ରାର ପ୍ରତି କ୍ଷଣରେ କେହି ନା କେହି ମୋତେ ସାହସ ଦେଉଥିଲେ । ଏପରିକି ଯାତ୍ରା ବେଳେ ଜଣେ କୁନି ଝିଅ ଆସି ମୋତେ ଚିଠି ଦେଇଥିଲେ । ଯେଉଁଥିରେ ଲେଖାଥିଲା, ରାହୁଲ ମୁଁ ତୁମ ସହ ଚାଲୁଛି । ଆଦୌ ବ୍ୟସ୍ତ ହୁଅନି । କୁନି ଝିଅ ଭଳି ଅନେକ ଲୋକ ମୋତେ ଯାତ୍ରା ସମୟରେ ସାହସ ଦେଇଛନ୍ତି ।

ଯାତ୍ରା ବେଳେ ଚାଷୀ ନିଜର ସମସ୍ୟା କହୁଥିଲେ । ଆଉ ଚାଷୀଙ୍କ ଦୁଃଖ ଦେଖି ମୋତେ ବି ଦୁଃଖ ଲାଗିଲା । ଯେତେବେଳେ ଚାଷୀ ଭାଇ ଭୋକିଲା ଥିଲା ସେତେବେଳେ ମୋତେ କଷ୍ଟ ହେଉଥିଲା । ଏହି ଯାତ୍ରା ସମୟରେ ଅନେକ ଭିଡ ହେଉଥିଲା । କିନ୍ତୁ ମୋତେ ଯିଏ ନିଜର ଦୁଃଖ କାହାଣୀ କହୁଥିଲା ତାହା ହିଁ ଶୁଭୁଥିଲା । ଆଉ ଏହି ଠାରୁ ମୁଁ ମୋର ଯାତ୍ରାର ଲକ୍ଷ୍ୟ କଣ ତାହା ଜାଣିପାରିଥିଲି । କାରଣ ଏହି ଯାତ୍ରା ସମୟରେ ଅନେକ ଲୋକଙ୍କ ସମସ୍ୟାକୁ ପାଖରୁ ଦେଖିଛି ଓ ଶୁଣିଛି । ଯଦି ଲୋକଙ୍କ ଦୁଃଖ ଶୁଣିବାର ଅଛି ତେବେ ନିଜ ମନ ଭିତରେ ଥିବା ଅହଙ୍କାର, ଦ୍ୱେଷ, ସ୍ୱପ୍ନକୁ ପର କରିବାକୁ ପଡିବ ।