ରାହୁଲ ଗାନ୍ଧୀଙ୍କ ଦମ୍ଭୋକ୍ତି ! ଉତ୍ତରପ୍ରଦେଶରେ ମଜଭୁତ ଅଛି ଦଳର ସଂଗଠନ, ଏକାକି ଲଢିବା ପାଇଁ ଦେଲେ ସଙ୍କେତ,  କହିଲେ, ପ୍ରଥମ ଲକ୍ଷ୍ୟ ମୋଦିଙ୍କ ମାତ୍ ।

106

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଅଖିଲେଶ ଓ ମାୟାବତୀଙ୍କ ମଧ୍ୟରେ ନୂଆ ସମୀକରଣ ହେଉଥିବା ବେଳେ ବଡ ବୟାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଉତ୍ତରପ୍ରଦେଶରେ କଂଗ୍ରେସକୁ ହାଲୁକା ଭାବେ ଗ୍ରହଣ କରିବାର ଭୁଲ କେହି କରନ୍ତୁ ନାହିଁ ଏବଂ ଆବଶ୍ୟକ ପଡିଲେ କଂଗ୍ରେସ ଏକାଠି ଲଢିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଉତ୍ତରପ୍ରଦେଶରେ ଏକାଠି ନିର୍ବାଚନ ଲଢିବାର ସଙ୍କେତ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ  । ୟୁପିରେ ବଦଳୁଥିବା ସମୀକରଣକୁ ଦେଖି ଏପରି ସଙ୍କେତ ଦେଇଛନ୍ତି ରାହୁଲ ଗାନ୍ଧୀ  । ସପା ମୁଖ୍ୟ ଅଖିଲେଶ ଓ ବସପା ସୁପ୍ରିମୋ ମାୟାବତୀ ମିଳିତ ଭାବେ ନିର୍ବାଚନ ଲଢୁଥିବା ବେଳେ ଏହି ମେଂଟରେ ସାମିଲ ହୋଇନି କଂଗ୍ରେସ । ଗଲ୍ଫ ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ ରାହୁଲ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, ଏମିତି ଅନେକ କଥା ଅଛି ଯାହା କଂଗ୍ରେସ ଉତ୍ତରପ୍ରଦେଶରେ କରିପାରିବ । ୟୁପି ପାଇଁ କଂଗ୍ରେସର ଧାରଣା ଖୁବ୍ ମଜବୁତ ଅଛି । ଏପରି ସ୍ଥିତିରେ ଆମ ଦକ୍ଷତା ଉପରେ ଆମର ସମ୍ପୂର୍ଣ୍ଣ ଭରସା ଅଛି ଏବଂ ଆମେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେବୁ । ୟୁପିରେ କଂଗ୍ରେସକୁ ହାଲୁକା ଭାବେ ନେବା ସବୁଠୁ ବଡ ଭୁଲ୍ । ଆମର ପ୍ରଥମ ଉଦ୍ଦେଶ୍ୟ ନରେନ୍ଦ୍ର ମୋଦିଙ୍କୁ ମାତ୍ ଦେବା । ଯେଉଁ ରାଜ୍ୟ ଗୁଡିକରେ ଆମେ ମଜବୁତ ସ୍ଥିତିରେ ଅଛୁ କିମ୍ବା ପ୍ରଥମ ନମ୍ବରରେ ରହିଛୁ ସେଠାରେ ଆମେ ବିଜେପି ବିରୋଧରେ ଏକାଠି ନିର୍ବାଚନ ଲଢିବୁ । ମହାରାଷ୍ଟ୍ର, ଝାଡଖଣ୍ଡ, ତାମିଲନାଡୁ ଓ ବିହାରରେ ମେଂଟର ସମ୍ଭାବନା ଅଛି । ମୋଦିଙ୍କୁ ହରାଇବା ପାଇଁ ଆମେ ଅନ୍ୟ ରାଜ୍ୟଗୁଡିକରେ ମେଂଟ କରିବାକୁ ପ୍ରୟାସ ଜାରି ରଖିଛୁ ।

ମଧ୍ୟପ୍ରଦେଶରେ କମଲନାଥଙ୍କ ମନ୍ତ୍ରୀମଣ୍ଡଳରେ ଅଖିଲେଶଙ୍କ ଜଣେ ବିଧାୟକଙ୍କୁ ସ୍ଥାନ ମିଳିନଥିବାରୁ ଏହାକୁ ନେଇ କଂଗ୍ରେସ ଉପରେ ଖପ୍ପା ଅଛନ୍ତି ଅଖିଲେଶ । ଏନେଇ ଅଖିଲେଶ କହିଥିଲେ ଯେ, ତାଙ୍କ ବିଧାୟକଙ୍କୁ ମନ୍ତ୍ରୀ ପଦ ଦେଇନଥିବାରୁ ଧନ୍ୟବାଦ । କଂଗ୍ରେସର ଏପରି ପଦକ୍ଷେପ ଦ୍ୱାରା ତାଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇଯାଇଛି । ସେପଟେ ଗତ କିଛି ଦିନ ତଳେ ୟୁପିରେ ଅଖିଲେଶ ଓ ମାୟାବତୀ ଏକାଠି ଲଢିବେ ବୋଲି ନିଷ୍ପତି ହୋଇଛି । ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଂଟା ନେଇ ମଧ୍ୟ ନିଷ୍ପତି ସରିଛି । କୁହାଯାଉଛି ୟୁପିର ୩୫ଟି ଆସନରୁ ନିର୍ବାଚନ ଲଢିବ ସମାଜବାଦୀ ପାର୍ଟି  । ଏବଂ ୩୬ଟି ଆସନରୁ ନିର୍ବାଚନ ଲଢିବ ବହୁଜନ ସମାଜ ପାର୍ଟି । ସେପଟେ ୩ଟି ଆସନ ଅଜିତ ସିଂଙ୍କ ରାଷ୍ଟ୍ରୀୟ ଲୋକଦଳକୁ ଓ ୪ଟି ଆସନ ସଂରକ୍ଷିତ ରଖିବାକୁ ସହମତି ହୋଇଛି । ସପା ଓ ବସପା ମେଂଟରେ ଛୋଟ ଦଳ ଗୁଡିକୁ ମଧ୍ୟ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି । ସେପଟେ ଏହି ମେଂଟରେ କଂଗ୍ରେସକୁ ସାମିଲ କରାଯାଇନଥିବାରୁ ଦଳ ଏକା ଲଢିବାକୁ ପ୍ରସ୍ତୁତି କରୁଛି ।