ଗୁଜରାଟ ନିର୍ବାଚନୀ ପ୍ରଚାରର ଶେଷ ଦିନରେ ଭିନ୍ନ ଅନ୍ଦାଜରେ ମୋଦି : ସମୁଦ୍ର ବିମାନରେ ପହଂଚିଲେ ସାବରମତୀ

26

କନକ ବ୍ୟୁରୋ : ଟ୍ରାଫିକ ସମସ୍ୟା ଯୋଗୁଁ ରୋଡ ସୋ’ କାର୍ଯ୍ୟକ୍ରମ ବାତିଲ ପରେ ଏମିତି ଏକ ଅନ୍ଦାଜରେ ଦେଖିବାକୁ ମିଳିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ । ସିଙ୍ଗଲ ଇଂଜିନ୍ ବିଶିଷ୍ଟ ସି-ପ୍ଲେନରେ ବସି ଯେତେବେଳେ ମୋଦି ଯାତ୍ରା କରୁଥିଲେ ଶହ ଶହ ସମର୍ଥନଙ୍କ ମୋଦି ମୋଦି ନାରାରେ କମ୍ପୁଥିଲା ସାବରମତୀ ନଦୀକୂଳ । ଏହା ଥିଲା ଶେଷ ପର୍ଯ୍ୟାୟ ନିର୍ବାଚନର ଶେଷ ଦିନ ପ୍ରଚାରକୁ ପ୍ରଭାବଶାଳୀ କରିବାକୁ ମୋଦିଙ୍କ ଅନ୍ଦାଜ । କେମିତି ପ୍ରୋଟୋକଲ ଭାଙ୍ଗି ସୁରକ୍ଷାକୁ ଦୃଷ୍ଟି ନଦେଇ ସିଙ୍ଗିଲ୍ ଇଂଜିନ୍ ଏୟାରକ୍ରାଫ୍ଟରେ ପ୍ରଧାନମନ୍ତ୍ରୀ ଯାତ୍ରା କଲେ, ଏ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସାବରମତୀ ନଦୀରୁ ୧୮୦ କିଲୋମିଟର ମେହସାନା ଜିଲ୍ଲା ଧରୋଇ ଡ୍ୟାମ୍ ନିକଟରେ ଓହ୍ଲାଇଥିଲେ ପ୍ରଧାନମନ୍ତ୍ରୀ । ସେଠାରୁ ଅମ୍ବାଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ ।

ସେପଟେ ମୋଦିଙ୍କ ସିପ୍ଲେନ୍ ଯାତ୍ରା ଉପରେ ଟିପଣୀ ଦେଇଛନ୍ତି କଂଗ୍ରେସର ନବ ନିର୍ବାଚିତ ଅଧ୍ୟକ୍ଷ ରାହୁଲ ଗାନ୍ଧି । ପ୍ରମୁଖ ପ୍ରସଙ୍ଗକୁ ଲୋକଙ୍କୁ ଦୂରେଇ ଦେବା ପାଇଁ ଏହା ମୋଦିଙ୍କ କୌଶଳ ବୋଲି କହିଛନ୍ତି ରାହୁଲ । ଶେଷ ଦିନ ପ୍ରଚାରରେ ବି ମନ୍ଦିର ପରିଦର୍ଶନ କରିବାକୁ ଭୁଲି ନଥିଲେ ରାହୁଲ ଗାନ୍ଧି । ହିନ୍ଦୁ ଭୋଟ ଧ୍ରୁବୀକରଣରେ ରୋକ୍ ଲଗାଇବା ପାଇଁ ଗୁଜରାଟରେ ରାହୁଲ ପ୍ରାୟ ୨୭ ଟି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଶେଷ ଦିନରେ ସେ ପହଁଚିଥିଲେ ଜଗନ୍ନାଥଙ୍କ ଦରବାରରେ । ଅହମ୍ମଦାବାଦର ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ରାହୁଲ ।

୧୪ ତାରିଖ ଦିନ ଅହମ୍ମଦାବାଦର ୨୧ଟି ବିଧାନସଭା ଆସନରେ ଭୋଟ ଥିବାରୁ ଶେଷ ଦିନରେ ରୋଡ ସୋ କରିବାକୁ ଚାହୁଁଥିଲେ ଉଭୟ ରାହୁଲ ଗାନ୍ଧି ଓ ନରେନ୍ଦ୍ର ମୋଦି । ହେଲେ ଆଇନ ଶୃଙ୍ଖଳା ଓ ଟ୍ରାଫିକ୍ ସମସ୍ୟା ପାଇଁ ଗୁଜରାଟ ପୁଲିସ ଅନୁମତି ନଦେବାରୁ ଦୁଇ ଦଳର ପ୍ରଚାର କାର୍ଯ୍ୟକ୍ରମ ବଦଳିଥିଲା ।